ବାପ୍ ରେ ବାପ୍! ୟୁଜରଙ୍କୁ ଆସିଲା ୨୧୦ କୋଟିର ବିଜୁଳି ବିଲ୍: ସୋସିଆଲ ମିଡିଆରେ ଭାଇରାଲ ମାମଲା

ନୂଆଦିଲ୍ଲୀ: ବିଜୁଳି ବର୍ତ୍ତମାନର ପିଢୀ ପାଇଁ ସବୁଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ହୋଇସାରିଛି । ଅନେକ ସମୟରେ ଏହାର ଅପବ୍ୟବହାର ମଧ୍ୟ ଦେଖିବାକୁ ମିଳେ । ଯାହାଫଳରେ ବିଜୁଳି ବିଲ୍ ମଧ୍ୟ ଖୁବ ଅଧିକ ହୋଇଥାଏ ।

କିନ୍ତୁ ଜଣେ ୟୁଜରଙ୍କୁ ୫୦ କି ୧୦୦ ଟଙ୍କା ନୁହେଁ ଆସିଛି ୨୧୦ କୋଟି ଟଙ୍କାର ବିଜୁଳି ବିଲ୍ । ଯାହାକୁ ଦେଖି ଉପଭୋକ୍ତା ନିଜ ଆଖିକୁ ବି ବିଶ୍ୱାସ କରି ପାରିନାହାନ୍ତି । ଏ ନେଇ ବିଦ୍ୟୁତ ବିଭାଗରେ ଅଭିଯୋଗ କରିଛନ୍ତି ଉପଭୋକ୍ତା ।

ପୂରା ମାମଲା ଥିଲା ଏମିତି: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ହମୀରପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ମହିଳା ଉପଭୋକ୍ତା ଲଳିତା ଧୀମାନଙ୍କ ପାଖକୁ ୨୧୦ କୋଟିରୁ ଅଧିକ ଟଙ୍କାର ବିଜୁଳି ବିଲ୍ ପଠାଇଛି ବିଦ୍ୟୁତ ବିଭାଗ ।

ଲଳିତା ଜଣେ ବ୍ୟବସାୟୀ ହୋଇଥିବା ବେଳେ ସେ କଂକ୍ରିଟ ଏବଂ ଇଟା ନିର୍ମାଣ କରନ୍ତି । ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭାଗ ତରଫରୁ ୨୧୦ କୋଟିରୁ ଅଧିକ ଟଙ୍କାର ବିଜୁଳି ବିଲ୍ ଦେଖି ତାଙ୍କୁ ଏକ ଶକ୍ତ ଝଟକା ଲାଗିଛି ।

ଅଭିଯୋଗ ପରେ ସଂଶୋଧନ ହେଲା ବିଲ୍: ଏଭଳି ଏକ ଅବିଶ୍ୱସନୀୟ ଆମାଉଣ୍ଟକୁ ଦେଖି ଲଳିତାଙ୍କ ପୁଅ ଆଶିଷ ବିଦ୍ୟୁତ ବିଭାଗରେ ଏ ନେଇ ଅଭିଯୋଗ କରିଥିଲେ । ଏହାପରେ ବିଦ୍ୟୁତ ବିଭାଗ ଏହି ବିଲ୍ ରେ ଥିବା ଟଙ୍କାକୁ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଉପଭୋକ୍ତାଙ୍କୁ ୪୦୪୭ ଟଙ୍କାର ବିଲ୍ ପ୍ରଦାନ କରିଛି ବିଦ୍ୟୁତ ବିଭାଗ ।

ଏମିତି କହିଲେ ଏସଡିଓ: ଏଭଳି ଏକ ମାମଲାକୁ ନେଇ ବିଦ୍ୟୁତ ବୋର୍ହର ଏସଡିଓ ଅନୁରାଗ ଚନ୍ଦେଲ କହିଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଅଭିଯୋଗ ପରେ ଏହାକୁ ସମାଧାନ କରାଯାଇଛି ଏବଂ ଉପଭୋକ୍ତାଙ୍କୁ ୪୦୪୭ ଟଙ୍କା ବିଲ୍ ଦିଆଯାଇଥିବା କହିଛନ୍ତି ଏସଡିଓ ।

ସୋସିଆଲ ମିଡିଆରେ ଭାଇରାଲ: ବିଦ୍ୟୁତ ବିଭାଗର ଏହି ଭୁଲ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଆଲୋଚନାର ଶିକାର ହେଉଛି ବିଜୁଳି ବିଭାଗ ।