(Video) ‘ହେ ନବୀନ ବାବୁ, ଆମେ ତୁମ Fan…’ ଶ୍ରୀମୟୀ ଦେଲେ Surprise, ହସିଲେ ନବୀନ, ଦେଲେ ଆଶୀର୍ବାଦ

ଓଡ଼ିଶା ଭାସ୍କର: ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ଚେହେରା ହୋଇ ରହିଥିଲେ ନବୀନ ପଟ୍ଟନାୟକ । କିନ୍ତୁ ଆଜି ଓଡ଼ିଶା ରାଜନୀତିରେ ସେ ଅତୀତର ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳ ପରାସ୍ତ ହେବା ପରେ ସତେ ଯେମିତି କୁଆଡ଼େ ହଜି ଯାଇଛନ୍ତି ଓଡ଼ିଶାର ‘ଅତି ପି୍ରୟର ମୁଖ୍ୟମନ୍ତ୍ରୀ’ । ନିର୍ବାଚନରେ ପରାଜୟ ପରେ ନବୀନ ବାବୁଙ୍କ ମୁହଁରୁ ସତେ ଯେମିତି ହସ କୁଆଡ଼େ ଉଭେଇ ଯାଇଥିଲା । କିନ୍ତୁ ଆଜି ପୁଣି ଥରେ ହସିଛନ୍ତି ନବୀନ ବାବୁ । ପୁଣିଥରେ ପ୍ରିୟର ନେତାଙ୍କ ମୁହଁରେ ହସ ଫେରାଇ ଆଣିଛି ଜଣେ କୁନି ବାଳକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

୨୦୨୪ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡ଼ିଶା ବାସୀ ଦେଖିଛନ୍ତି ନବୀନଙ୍କ ହସ । ଅନେକ ଦିନ ପରେ ନବୀନ ପଟ୍ଟନାୟକଙ୍କ ମୁହଁରେ ମନଖୋଲା ହସ ଦେଖିବାକୁ ମିଳିଛି । ଶଙ୍ଖ ଭବନରେ ନବୀନ ବାବୁ ବସିଥିବା ବେଳେ ବିଜେଡି ନେତ୍ରୀ ତାଙ୍କ ପାଇଁ ଏକ ସରପ୍ରାଇଜ ନେଇ ଆସିଥିଲେ । ଗୋଟିଏ କୁନି ବାଳକଙ୍କୁ ଧରି ନବୀନ ବାବୁଙ୍କ ପାଖକୁ ଆସିଥିଲେ ଶ୍ରୀମୟୀ ଏବଂ ସେ କିଛି ଗୀତ ଗାଇବ ବୋଲି ନବୀନ ପଟ୍ଟନାୟକଙ୍କୁ ଶ୍ରୀମୟୀ କହିଥିଲେ । ଏହାପରେ ନବୀନ ପଟ୍ଟନାୟକ ମଧ୍ୟ ପିଲାଟିକୁ ଗୀତ ଗାଇବାକୁ କହିଛନ୍ତି । ପିଲାଟି ଅତି ଶ୍ରଦ୍ଧାରେ ଏକ ଗୀତ ଗାଉଛି, ଯାହାକୁ ଶୁଣି ଖୁସି ହସି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ବର୍ଷ ତଳେ ସାରା ଓଡ଼ିଶାରେ ସୁପରହିଟ ହୋଇଥିବା ଗୀତ ‘ହେ ନବୀନ ବାବୁ, ଆମେ ତୁମ ଫ୍ୟାନ୍….’ ଗୀତ ଗାଇ ନବୀନ ବାବୁଙ୍କୁ ଖୁସି କରାଇ ଦେଇଛି ଏହି କୁନି ବାଳକ । ଏହାପରେ ପିଲାଟିର ମୁଣ୍ଡରେ ହାତ ବୁଲାଇ ନବୀନ ବାବୁ ତାକୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି ।

ଏହି ସମୟର ଏକ ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଅନେକ ଦିନ ପରେ ନବୀନ ପଟ୍ଟନାୟକଙ୍କ ମୁହଁରେ ହସି ଦେଖି ପ୍ରଶଂସକ ମାନେ ମଧ୍ୟ ଖୁସି ହୋଇ ଯାଇଛନ୍ତି ଏବଂ ପିଲାଟିର ପ୍ରଶଂସା କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶାରେ ‘ନବୀନ ଯୁଗ’ ଆରମ୍ଭ ହୋଇଥିଲା । ଏହି ୨୪ ବର୍ଷର ଶାସନ କାଳରେ ଭାରତର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଥିଲେ ନବୀନ ପଟ୍ଟନାୟକ । କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ହାରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.