fbpx

(Video) ରଥ ଟାଣୁଟାଣୁ କାଳିଆର ପାଦତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀର ବଡ଼ଦାଣ୍ଡ କମ୍ପି ଉଠୁଛି । ଶଙ୍ଖ, ଘଣ୍ଟ ସାଙ୍ଗକୁ ଭକ୍ତଙ୍କ କୋହାହଳରେ ଆଜି ଜଗା ଭକ୍ତଙ୍କୁ ଦର୍ଶନ ଦେଉଛି । ଏହି ଅବସରରେ ଦେଶ, ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଛି । ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭ୍ରାଙ୍କ ଦର୍ପଦଳନରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପ୍ରଚଣ୍ଡ ଖରା ଭକ୍ତ ଆଉ ଭକ୍ତମାନଙ୍କ ମଧ୍ୟରେ ବାଧା ସୃଷ୍ଟି କରିପାରି ନାହିଁ ।

ତେବେ ଆଜି କେବଳ ପୁରୀ ନୁହେଁ, ରାଜ୍ୟ, ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଚାଲିଛି । ଏହି ଅବସରରେ ଆଜି ଢେଙ୍କାନାଳରୁ ଆସିଛି ଏକ ଦୁଃଖଦ ଖବର । କାଳିଆ ରଥ ଟାଣୁଟାଣୁ ଜଣେ ବୃଦ୍ଧ ସବୁଦିନ ପାଇଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସମସ୍ତେ ରଥଟଣା କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଦେଖୁଦେଖୁ ରଥ ଆଗରେ ଜଣେ ଭକ୍ତଙ୍କର ଜୀବନ ଚାଲିଯାଇଥିଲା । ତେବେ ପ୍ରବଳ ଖରା ହେଉଥିବାରୁ ଅଂଶୁଘାତ କାରଣରୁ ବୃଦ୍ଧଙ୍କର ଜୀବନ ଚାଲିଯାଇଥିବା କୁହାଯାଉଛି ।

ଏହା ପୂର୍ବରୁ ଆଜି ମଧ୍ୟ ଦୁଇଟି ବଡ଼ ଅଘଟଣ ଦେଖିବାକୁ ମିଳିଥିଲା । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ଫଳରେ ଏକାଧିକ ଭକ୍ତ ଆହତ ହୋଇଥିଲେ । ଏହାପରେ ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମରିଚିକୋଟ ଛକରେ ଦେଖିବାକୁ ମିଳିଥିଲା ଏପରି ଏକ ଅଘଟଣ । ସେହିପରି ଗୁଜରାଟର ଅହମ୍ମଦାବାଦଠାରେ ରଥଟଣା ଚାଲିଥିବା ସମୟରେ ଅଚାନକ ଏକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୧ ଜଣ ଭକ୍ତ ଆହତ ହୋଇଥିଲେ । ବାଲକୋନୀରେ କିଛି ଶିଶୁ ଓ ମହିଳା ଛିଡ଼ା ହୋଇ ରଥଟଣା ଦେଖୁଥିବା ସମୟରେ ଅଚାନକ କାନ୍ଥ ଭୁଶୁଡ଼ି ପଡ଼ିବ ବୋଲି କେହି ବି ଭାବିନଥିଲେ ।

Get real time updates directly on you device, subscribe now.