ଆଜି ଜାମ୍ମୁ କାଶ୍ମୀରର ନୂତନ ସରକାର ଭାବେ ଶପଥ ଗ୍ରହଣ କରିବେ ଓମାର ଅବଦୁଲ୍ଲା, ସମାରୋହରେ ସାମିଲ ହେବ ରାହୁଲ-ଖଡ଼ଗେ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ ଗଠନ ହେବ ନୂତନ ସରକାର । ଆଜି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଓମାର ଅବଦୁଲ୍ଲା । ଶ୍ରୀନଗର ସ୍ଥିତ ଶେର୍-ଏ-କାଶ୍ମୀର କନଭେନସନ ସେଣ୍ଟର ଠାରେ ସକାଳ ୧୧ଟା ୩୦ରେ ଶପଥ ଗ୍ରହଣ ସମାରୋହ ଆରମ୍ଭ ହେବ । ଉପ ରାଜ୍ୟପାଳ ମନୋଜ ସିହ୍ନା ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରାଇବେ । ନ୍ୟାସନାଲ କନଫେରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଳା କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ଏବଂ ଜାମ୍ମୁ କାଶ୍ମୀରର ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଜାମ୍ମୁ କାଶ୍ମୀର ସରକାରରେ କେବଳ ୧୦ ଜଣ ମନ୍ତ୍ରୀ ରହିପାରିବେ । ଓମାର ଅବଦୁଲ୍ଳା ନେତୃତ୍ୱାଧୀନ ନ୍ୟାସନାଲ କନଫେରେନ୍ସ- କଂଗ୍ରେସ ମେଣ୍ଟ ସରକାରରେ କଂଗ୍ରେସକୁ ଏକ କ୍ୟାବିନେଟ୍ ପଦ ମିଳିବାର ସମ୍ଭାବନା ରହିଛି । କହିରଖୁଛୁ ନ୍ୟାସନାଲ କନଫେରେନ୍ସ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ୫୫ ବିଧାୟକଙ୍କ ସମର୍ଥନ ରହିଛିି । ଓମାରଙ୍କ କ୍ୟାବିନେଟରେ ସମ୍ଭାବିତ ମନ୍ତ୍ରୀମାନେ ହେଲେ ସକୀନା ଇଟୁ, ସୈଫୁଲ୍ଲାହ ମୀର, ଅବଦୁଲ ରହିମ ରାଥର, ଅଲି ମୋହମ୍ମଦ ସାଗର, ସୁରିନ୍ଦର ଚୌଧୁରୀ, ଫାରୁକ୍ ଶାହ, ନଜୀର ଅହମଦ ଏବଂ ଅହମଦ ମୀର । ତେବେ ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିପକ୍ଷ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ କେସି ବେଣୁଗୋପାଲ, ସପା ଅଧ୍ୟକ୍ଷ ଅଖିଲେଶ ଯାଦବ, ଶରଦ ଦଳ ଏନସିପି ନେତା ସୁପ୍ରିଆ ସୁଲେ, ସିପିଆଇ ନେତା ଡି ରାଜା, ଡିଏମକେ ସାଂସଦ କନିମୋଝୀ କରୁଣାନିଧି, SAD ଅଧ୍ୟକ୍ଷ ସୁଖବୀର ସିଂହ ଏବଂ ଅନ୍ୟ ପ୍ରମୁଖ ଯୋଗ ଦେବେ ।

Get real time updates directly on you device, subscribe now.