ଶ୍ରୀନଗର,୨୭ା୫: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ ପଦକ୍ଷେପ ନେଇ ପହଲଗାମରେ ଏକ କ୍ୟାବିନେଟ ବୈଠକ କରିଛନ୍ତି । ଏଠାରେ ପହଲଗାମର ବୈସାରନ ଘାଟିରେ, ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ଏକ ବଡ଼ ଆକ୍ରମଣ କରି ଜଣେ ସ୍ଥାନୀୟ ଲୋକଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହା ପରେ, ଜମ୍ମୁ ଏବଂ କାଶ୍ମୀରରେ ପର୍ୟ୍ୟଟକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି।
ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ, ଅବଦୁଲ୍ଲା ମଙ୍ଗଳବାର ଶ୍ରୀନଗର ପରିବର୍ତ୍ତେ ପହଲଗାମରେ ଏକ କ୍ୟାବିନେଟ ବୈଠକ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ କେବଳ ସରକାରୀ ପଦକ୍ଷେପ ପାଇଁ ଏଠାକୁ ଆସିନାହୁଁ, ଆମେ ଏଠାକୁ ଆସିଛୁ କାରଣ ଆମେ ରାଜ୍ୟରେ ଆତଙ୍କବାଦ ଏବଂ ରକ୍ତପାତ ଚାହୁଁନାହୁଁ। ଆମେ ଜମ୍ମୁ ଏବଂ କାଶ୍ମୀରରେ ପ୍ରଗତି ଏବଂ ସମୃଦ୍ଧି ଚାହୁଁଛୁ।
ସେ କହିଛନ୍ତି, ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ସମଗ୍ର ଜମ୍ମୁ-କାଶ୍ମୀର ଏବଂ ପହଲଗାମର ଲୋକମାନେ ସ୍ୱର ଉଠାଇଥିଲେ। ଆମେ ସମସ୍ତେ ଆତଙ୍କବାଦ ବିରୋଧରେ। ପର୍ଯ୍ୟଟକମାନଙ୍କୁ ଜମ୍ମୁ-କାଶ୍ମୀରକୁ ଫେରିବା ଏବଂ ଏଠାରେ ସ୍ୱାଗତ କରିବା ପାଇଁ ଆମେ ଏକ ବୈଠକ କରିଥିଲୁ। ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ଅର୍ଥନୀତି ଏବଂ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ପର୍ଯ୍ୟଟନ ଏକ ବିରାଟ ଭୂମିକା ଗ୍ରହଣ କରେ। ବିଶ୍ୱବାସୀ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନକୁ ଏକ ଅର୍ଥନୀତି ଭାବରେ ଦେଖିବା ଉଚିତ। ମୁଁ ଭାବୁଛି ଯେ, ପର୍ଯ୍ୟଟକମାନେ ପୁଣି ଜମ୍ମୁ ଏବଂ କାଶ୍ମୀରକୁ ଆସିବେ।
ଅବଦୁଲ୍ଲା କହିଛନ୍ତି, ଗତ ୫-୬ ସପ୍ତାହ ସମଗ୍ର ଦେଶ ପାଇଁ ଭଲ ନଥିଲା ଏବଂ ଜମ୍ମୁ ଏବଂ କାଶ୍ମୀର ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଅସୁବିଧାର ସମୟରେ ଆମକୁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ। ଆମକୁ ଆଗକୁ ବଢ଼ିବାକୁ ପଡିବ।
ସେ କହିଛନ୍ତି, ବୈସାରନ ଉପତ୍ୟକାରେ ଆକ୍ରମଣ ପରେ, ଆମେ ନିଷ୍ପତ୍ତି ନେଇଛୁ ଯେ, ଆମକୁ ଏକ ସୁରକ୍ଷା ପରିଦର୍ଶନ କରିବାକୁ ପଡିବ ଏବଂ ଆମକୁ ସେଠାରେ ସୁରକ୍ଷା ଯୋଗାଇବାକୁ ପଡିବ। ଆମେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ପାଇଁ ବ୍ୟବସ୍ଥା କରିବୁ ଏବଂ ମୁଁ ଆଶାବାଦୀ ଯେ ପର୍ଯ୍ୟଟମାନେ ପୁଣି ଏଠାକୁ ଆସିବେ।
ସେ କହିଛନ୍ତି,ଏଠାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ପାରିବା ପରେ ହିଁ ପର୍ଯ୍ୟଟନ ଆରମ୍ଭ କରିପାରିବା। ଏହି ବିଷୟ ନେବା କେବଳ ଆମ ସରକାରଙ୍କ ଦାୟିତ୍ୱ ନୁହେଁ, କେନ୍ଦ୍ର ସରକାରଙ୍କୁ ମଧ୍ୟ ଏ ବିଷୟରେ ପଦକ୍ଷେପ ନେବାକୁ ପଡିବ। ସୁରକ୍ଷା ବ୍ୟବସ୍ଥା ବିନା ପର୍ଯ୍ୟଟକକମାନେ ଏଠାକୁ ଆସିବାକୁ ଚାହିଁବେ ନାହିଁ। ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟନ ପୁନଃଆରମ୍ଭ କରିବା ସମ୍ପର୍କରେ ଏକ ବୈଠକ ମଧ୍ୟ କରିଛନ୍ତି ଏବଂ ସମ୍ପ୍ରତି ନୀତି ଆୟୋଗ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।