fbpx

ଘରୁ ମିଳିଲା ୧ ଲକ୍ଷ ଅସରପା: ସାପ, କଇଁଛ, ବିଲେଇ, ଠେକୁଆଙ୍କ ପରି ୩୦୦ ପ୍ରକାର ଜୀବଙ୍କୁ କାହିଁକି ଘରେ ରଖିଥିଲେ ମହିଳା

ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜ ଘରମାନଙ୍କରେ ପଶୁପକ୍ଷୀଙ୍କୁ ରଖିବାକୁ ପସନ୍ଦ କରିଥାନ୍ତି । ବେଳେବେଳେ ଏହା ସେମାନଙ୍କ ପାଇଁ ବିପଦର କାରଣ ସାଜିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଘରୁ ଗୋଟିଏ କି ଦୁଇଟି ନୁହେଁ, ୧ ଲକ୍ଷ ଅସରପା ମିଳିଛି । କେବଳ ସେତିକି ନୁହେଁ ମହିଳାଙ୍କ ଘରୁ ପାଖାପାଖି ୩୦୦ ଜୀବଜନ୍ତୁ ମଧ୍ୟ ଉଦ୍ଧାର ହୋଇଛନ୍ତି ।

ମହିଳାଙ୍କର ଏହି କାରନାମାରେ ପୋଲିସ ମଧ୍ୟ ଚକିତ ହୋଇଯାଇଛି । ମହିଳା ଜଣଙ୍କ ବିଭିନ୍ନ ପ୍ରଜାତିର ପକ୍ଷୀ, କଇଁଛ, ସାପ, ବିଲେଇ, ଠେକୁଆ ଆଦି ନିଜ ଘରେ ପାଳୁଥିଲେ । ଏକ ରିପୋର୍ଟ ମୁତାବକ, କୈରିନ କିଜ ନାମକ ଜଣେ ମହିଳା ସମାଜସେବୀଙ୍କୁ ପୋଲିସ ଗିରଫ କରିଛି । ସେ ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ସେମାନଙ୍କୁ ସେ ଘରେ ରଖିଥିଲେ । ଅସରପାଙ୍କୁ ମାରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ୫୧ ବର୍ଷୀୟ ମହିଳା ଜଣଙ୍କ ଦୃଢ଼ତାର ସହ କହିଛନ୍ତି ।

ପୋଲିସ ମୁତାବକ, ଅଭିଯୁକ୍ତ ମହିଳାଙ୍କ ଘରର ପ୍ରତ୍ୟେକ ଦିଗରୁ ଦୁର୍ଗନ୍ଧ ଆସୁଥିଲା । ଘର ଭିତରେ ମଇଳା ଆବର୍ଜନା ଭର୍ତ୍ତି ହୋଇ ରହିଥିଲା । ଉକ୍ତ ପରିତ୍ୟକ୍ତ ସ୍ଥାନମାନଙ୍କରେ ଜୀବଜନ୍ତୁଙ୍କୁ ଖରାପ ସ୍ଥିତିରେ ରଖାଯାଇଥିଲା । ସେଠାରେ କୌଣସି ବ୍ୟକ୍ତି ୧ ମିନିଟ୍ ପର୍ଯ୍ୟନ୍ତ ବି ରହି ପାରିନଥିଲେ । କିଛି ଜୀବଜନ୍ତୁଙ୍କ ଶାରୀରିକ ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । ମହିଳାଙ୍କର ଘରେ ନିର୍ମିତ ହୋଇଥିବା କ୍ଲିନିକରେ କାମ କରୁଥିବା ଜଣେ ମହିଳା ଏ ବିଷୟରେ ଅଭିଯୋଗ କରିବା ପରେ ସବୁ ଗୁମର ଖୋଲିଥିଲା । ଏହି ମାମଲାରେ କିଛି ପ୍ରାଣୀ ବିଶେଷଜ୍ଞଙ୍କ ପ୍ରତିକ୍ରିୟା ନିଆଯିବା ସହ ମହିଳାଙ୍କ ବିରୋଧରେ ପଶୁ କ୍ରୁରତା ଅଧିନିୟମ ଅଧିନରେ କେସ ଦାୟର କରାଯାଇଛି ।

Get real time updates directly on you device, subscribe now.