fbpx

ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଏଯାଏଁ ଆଶାନୁରୂପକ ବର୍ଷା ହୋଇନଥିବାରୁ ଚାଷୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ମୌସୁମୀ ବାୟୁ ମନ୍ଥର ଗତିରେ ଗତି କରୁଥିବାରୁ ବର୍ଷାର ପ୍ରଭାବ କମ୍‌ ରହିଛି । ଫଳରେ ରାଜ୍ୟର ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି । ଗତ ଅକ୍ଷୟ ତୃତୀୟା ଠାରୁ ସେମାନେ ବିଲରେ ହଳ କରି ବିହନ ବୁଣିଥିଲେ ମଧ୍ୟ ବର୍ଷାକୁ ଅନାଇ ଅନାଇ ସେମାନେ ନିରାଶ ହୋଇପଡ଼ିଲେଣି । କେଉଁଠି ଜମି ଫାଟିଗଲାଣି ତ ଆଉ କେଉଁଠି ଗଜା ମରୁଡ଼ି ଧରିଲାଣି । ଜୁନ୍‌ ମାସରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଯଦିଓ ଏବେ ମୌସୁମୀ ବାୟୁ ସାମାନ୍ୟ ସକ୍ରିୟ ହୋଇଛି ତେବେ ଆଶାନୁରୂପକ ବର୍ଷା ହେଉନଥିବାରୁ ପରିସ୍ଥିତି ଜଟିଳ ରୂପ ଧାରଣ କରିଛି । ଏସବୁ ଭିତରେ ପାଣିପାଗ ବିଭାଗ ଏକ ଖୁସି ଖବର ଦେଇଛି । ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବରେ ୩ ଦିନ ହେବ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବିଭିନ୍ନ ସ୍ଥାନରେ ଲାଗି ରହିଛି ।

ଏଭଳି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଚଳିତ ମାସ ୪ ତାରିଖରୁ ରାଜ୍ୟର ଉତ୍ତର ଓଡ଼ିଶା ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୮ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ସମ୍ପର୍କରେ ଏବେ ଠାରୁ କିଛି ସଠିକ୍‌ ଆକଳନ କରାଯାଇ ନାହିଁ । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପାଣିପାଗ ବିଭାଗ କହିଛି । ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଅଧିକ ସକ୍ରିୟ କରିବ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ପରିମାଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟରେ ଆଶାନୁରୂପକ ବର୍ଷା ହୋଇପାରି ନାହିଁ ।

Get real time updates directly on you device, subscribe now.