fbpx

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଚଳିତ ମାସ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପନ କରାଯିବ । ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ୧୪ରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୨ ଓ ୪ ତାରିଖ ପ୍ରାଇଭେଟ୍‌ ମେମ୍ବର୍ସ ବିଲ୍‌ପାଇଁ ଉଦ୍ଦିଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ । ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୃହ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଗତ ବୁଧବାର ଠାରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀ ଓ ସାମ୍ବାଦିକମାନଙ୍କ କରୋନା ପରୀକ୍ଷା କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ଥିବ ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ । କମିଶନେରଟ୍‌ ପୋଲିସ ପକ୍ଷରୁ ଏହି ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ ଜଣ ଅତିରିକ୍ତ ଡିସିିଙ୍କ ସହ ୧୧ ଜଣ ଡିଏସ୍‌ପିଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ୧୩ ଜଣ ଇନ୍ସପେକ୍ଟର ଓ ୬୨ ଜଣ ବରିଷ୍ଠ ଅଧିକାରୀଙ୍କ ସହ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

ଭୁବନେଶ୍ୱର ଡିସିି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ଦାୟିତ୍ୱରେ ରହିବେ । ବିଧାନସଭା ଭିତରେ ଗୁଇନ୍ଦା ବିଭାଗ ସୁରକ୍ଷା ଦାୟିତ୍ୱରେ ରହିଥିବାବେଳେ ବିଧାନସଭା ବାହାରେ ଓ ଗାନ୍ଧି ମାର୍ଗରେ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ପହରା ଦିଆଯିବ । ଏଥିସହ ଡଗ୍‌ସ୍କ୍ୱାର୍ଡ ଓ ବମ୍‌ସ୍କ୍ୱାର୍ଡକୁ ମଧ୍ୟ ମୁତୟନ କରାଯାଇଛି । ଗାନ୍ଧିମାର୍ଗର ସମସ୍ତ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ଗାନ୍ଧିମାର୍ଗର ରବିନ୍ଦ୍ର ମଣ୍ଡପ ଓ ଧାରଣାସ୍ଥଳରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.