ନୂଆଦିଲ୍ଲୀ: ସରକାରଙ୍କ ‘ୱାନ୍ ନେସନ୍, ୱାନ୍ ସବ୍ସ୍କ୍ରିପ୍ସନ୍’ ଅଭିଯାନ ଅଧୀନରେ ଜାନୁଆରି ପହିଲାରୁ ବିଶ୍ୱବିଦ୍ୟାଳୟ ଓ ଆଇଆଇଟି ସମେତ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ନୁଷ୍ଠାନର ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ ବିଶ୍ୱର ଶୀର୍ଷ ପତ୍ରିକାରେ ପ୍ରକାଶିତ ଗବେଷଣା ପତ୍ର ପାଇପାରିବେ। ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଏ.କେ. ସୁଦ କହିଛନ୍ତି ଯେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ମେଡିସିନ୍, ଗଣିତ, ପରିଚାଳନା, ସାମାଜିକ ବିଜ୍ଞାନ ଏବଂ ମାନବିକତା ସମ୍ବନ୍ଧିତ ୧୩,୪୦୦ରୁ ଅଧିକ ଅନ୍ତର୍ଜାତୀୟ ପତ୍ରିକା ଗବେଷକମାନଙ୍କୁ ‘ୱାନ୍ ନେସନ୍, ୱାନ୍ ସବ୍ସ୍କ୍ରିପ୍ସନ୍’ (ଓଏନ୍ଓଏସ୍) ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ କରାଯିବ।
ଏଲ୍ସେଭିୟର, ସ୍ପ୍ରିଙ୍ଗର ନେଚର ଓ ୱିଲି ସମେତ ୩୦ଟି ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଶୀର୍ଷ ପତ୍ରିକାରେ ୪୫୧ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୪୮୬୪ଟି କଲେଜ ଓ ଜାତୀୟ ଗୁରୁତ୍ୱପୂର୍ଣ୍ଣ ୧୭୨ଟି ଅନୁଷ୍ଠାନ ରହିବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଅଭୟ କରାଡିକର କହିଛନ୍ତି ଯେ ପୂର୍ବରୁ ଆଇଆଇଟି କିମ୍ବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧୀୟ ଏକ କ୍ଷୁଦ୍ର ପତ୍ରିକାକୁ ସବ୍ସ୍କ୍ରାଇବ୍ କରୁଥିଲେ, କିନ୍ତୁ ଓଏନଓଏସ୍ ଅଧୀନରେ ସମସ୍ତ ଅନୁଷ୍ଠାନରେ ୧୩,୪୦୦ ଗବେଷଣା ପତ୍ରିକା ଉପଲବ୍ଧ ହେବ। ସେ କହିଛନ୍ତି ଯେ ଓଏନଓଏସ ପଦକ୍ଷେପ ଜାନୁଆରୀ ୧ ରେ ଆରମ୍ଭ ହେବ ଏବଂ ଆସନ୍ତା ତିନି ବର୍ଷ ପାଇଁ ଉପଲବ୍ଧ ଶୀର୍ଷ ପତ୍ରିକାଗୁଡିକରେ ପ୍ରବେଶ କରିବ ।
ଦ୍ବିତୀୟ ପର୍ଯ୍ୟାୟରେ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ମଡେଲ୍ ଜରିଆରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପଦକ୍ଷେପ କୁ ବିସ୍ତାର କରିବାକୁ ସରକାର ଯୋଜନା କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ସର୍ବସାଧାରଣ ପାଠାଗାରରେ ନିର୍ଦ୍ଧାରିତ ଆକ୍ସେସ୍ ପଏଣ୍ଟ ମାଧ୍ୟମରେ ଅନ୍ତର୍ଜାତୀୟ ପତ୍ରିକାଗୁଡ଼ିକୁ ସାର୍ବଜନୀନ ଆକସେସ୍ ପ୍ରଦାନ କରାଯିବ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଓ ପାଠାଗାର ନେଟୱାର୍କ (ଆଇଏନଏଫଏଲଆଇବିଏନଇଟି) ଦ୍ୱାରା ଓଏନଓଏସର ସମନ୍ୱୟ କରାଯିବ । ୩ ବର୍ଷ ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବେ ଏହି ଯୋଜନା ଆରମ୍ଭ କରାଯାଇଛି।