ମାତ୍ର ୪ଘଣ୍ଟା ପାଇଁ ଖୋଲା ରହୁଛି ଓପିଡି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲା ନାଗରିକ କମିଟି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଫୁଲବାଣୀ: କନ୍ଧମାଳ ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଫାଇଲେରିଆ ବଟିକା ସେବନର ଶୁଭାରମ୍ଭ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କନ୍ଧମାଳ ଗସ୍ତରେ ଆସିଥିବାବେଳେ ଜିଲା ନାଗରିକ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହ ସମସ୍ୟା ଉପରେ ଆଲୋଚନା କରାଯାଇଛି ।
କନ୍ଧମାଳ ଜିଲ୍ଲା ଡାକ୍ତରଖାନାରେ ଦିନରେ ସକାଳବେଳା ମାତ୍ର ୪ଘଣ୍ଟା ପାଇଁ ଓପିଡି ଖୋଲୁଥିବାବେଳେ ଉପରବେଳା ଓପିଡିରେ ବିଶେଷଜ୍ଞ ଓ ଡାକ୍ତରମାନେ ବସୁ ନଥିବା ଅଭିଯୋଗ ହେଉଛି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ସେବା ନ ପାଇ ଫେରିଯାଉଥିବା ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଗତ ତିନି ବର୍ଷରୁ ଅଧିକ ସମୟ ଧରି ଜିଲାରୁ ୬ଜଣ ଡାକ୍ତର ଡେପୁଟେସନରେ ଥିବାରୁ ତାହା ବାତିଲ କରି ଜିଲାକୁ ଫେରାଇ ଆଣିବାକୁ ନାଗରିକ କମିଟିର ଆବାହକ ଅଶୋକ ପରିଡା ମନ୍ତ୍ରୀଙ୍କୁ ଅବଗତ କରିଥିଲେ।
ତାଲିମପ୍ରାପ୍ତ ଡାକ୍ତର ଅଭାବରୁ ଗତ ପାଞ୍ଚବର୍ଷରୁ ଅଧିକ ସମୟ ଧରି ସାଧାରଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ ହେଉନଥିବା ଏବଂ ଗୁରୁତର ରୋଗୀଙ୍କ ପାଇଁ ଦୁଇଟି ଆଇସିୟୁ ନିର୍ମାଣ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମେଡିକାଲ କଲେଜର ଶିକ୍ଷାଦାନ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ବିଶେଷଜ୍ଞ ଡାକ୍ତରମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗ ଚିକିତ୍ସା ଯୋଗାଇ ଦେବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ଜିଲ୍ଲାର ୫୨୦ଜଣ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୮୨ଜଣ ଡାକ୍ତର ଥିବାବେଳେ ମୁଖ୍ୟ ଚିକିତ୍ସାଳୟରେ ୧୪୩ ଜଣ ଡାକ୍ତରଙ୍କ ମଧ୍ୟରୁ କାଗଜ କଲମରେ ମାତ୍ର ୪୧ଜଣ ଡାକ୍ତର ଥିବା ସମ୍ପର୍କରେ ଅବଗତ କରାଯାଇଥିଲା ।
ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଗୁମାଗଡ଼, ବାରିକୁମ୍ପା, ସୁଡ୍ରୁକୁମ୍ପା, ଫିରିଙ୍ଗିଆ, କଟ୍ରିଙ୍ଗିଆ ଇତ୍ୟାଦିରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ସ୍ଥାନୀୟ ବାସଭବନରେ ରହୁ ନ ଥିବାବେଳେ ରହିବା ପାଇଁ ଥିବା ସ୍ୱତନ୍ତ୍ର ଭତ୍ତା ନେଉଥିବା ମନ୍ତ୍ରୀଙ୍କ ଦୃଷ୍ଟିକୁ ନିଆଯାଇଥିଲା ।