Breaking: ପୁଣି ବିଧାନସଭାରେ ବିରୋଧୀଙ୍କ ତୁମ୍ୱିତୋଫାନ, ଗୃହ ମୁଲତବି କଲେ ବାଚସ୍ପତି
ପୁଣି ଗୃହରେ ହଟ୍ଟଗୋଳ। ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ଚାଲିପାରୁନି ବିଧାନସଭା।
ଭୁବନେଶ୍ୱର: ପୁଣି ବିଧାନସଭାରେ ହଙ୍ଗାମା। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସର ନାରାବାଜି। ବାଧ୍ୟ ହୋଇ ଗୃହକୁ ମଧ୍ୟାହ୍ନ ୧୨ଟା ୧୫ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡିର ହୋହଲ୍ଲା।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ନାରାବାଜି କରିଥିବା ବେଳେ, ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ହୋହଲ୍ଲା କରିଥିଲା କଂଗ୍ରେସ। ଆଉ ଏବେ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ଧାରଣାରେ ବସିଛି। ହଁ ଏବେ ଚାଲିଛି ବିଧାନସଭା ବଜେଟ୍ ଅଧିବେଶନ। ହେଲେ ଗୃହକୁ ସୁରୁଖୁରୁରେ ଚଲାଇ ଦେଉନାହାନ୍ତି ବିରୋଧୀ।
ପୂର୍ବରୁ ମଧ୍ୟ ଏହିଭଳି ପରିସ୍ଥିତି ହେବାରୁ ଏବଂ ଗୃହ ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି ବିଶୃଙ୍ଖଳା କରିବା ଯୋଗୁଁ ତାଙ୍କୁ ଗୃହରୁ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଲମ୍ୱନ କରାଯାଇଛି। ଯାହାପରେ ବିଧାନସଭା ପରିତ୍ୟାଗ କରିଥିଲେ ସମସ୍ତ କଂଗ୍ରେସ ବିଧାୟକ।
ତାରାଙ୍କ ଉପରୁ ନିଲମ୍ୱନ ହଟାଇବା ନେଇ ବାଚସ୍ପତିଙ୍କୁ ମଧ୍ୟ ଭେଟିଥିଲେ ବିଜେଡି ବିଧାୟକ। ହେଲେ ସେ ପରିସ୍ଥିତି ତ ଶାନ୍ତ ପଡିଗଲା। କିନ୍ତୁ ଆଜି ପୁଣି ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରିଦେଲେ ବିରୋଧୀ। ଦେଖିବାକୁ ଗଲେ କଂଗ୍ରେସ ନାରୀ ନିର୍ଯ୍ୟାତନାକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ, ବିଜେଡି ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁଦ୍ଦା କରିଛି।
ଯେହେତୁ ହୋଲିରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖା ଦେଇଛି। ଖୋଦ ରାଜଧାନୀରେ ଦୁଇ ଦୁଇଟି ମୁଣ୍ଡ ଗଡିଛି। ଆଉ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ଶାନ୍ତି ଶୃଙ୍ଖିଳାର ସହ ହୋଲି ହେବ। ହେଲେ ରାଜଧାନୀରେ ମୁଣ୍ଡ ଗଡିଲା। ଆଇନ ଶୃଙ୍ଖଳା ପରିସ୍ଥିତି କେଉଁ ଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି। ଯାହାକୁ ନେଇ ଆଜି ଗୃହରେ ତୁମ୍ୱିତୋଫାନ ହୋଇଛି।