fbpx

ଓବିସି ସଂରକ୍ଷଣ ବିଧେୟକ, ମୋଦୀ ସରକାରଙ୍କୁ ସମର୍ଥନ ଦେବ କଂଗ୍ରେସ

ନୂଆଦିଲ୍ଲୀ: ହଙ୍ଗାମା ଓ ହଟ୍ଟଗୋଳ ମଧ୍ୟରେ ମୌସୁମି ଅଧିବେଶନର ଶେଷ ସପ୍ତାହର ଗୃହ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ମୋଦୀ ସରକାର ଗୁରୁତ୍ଵପୂର୍ଣ୍ଣ ବିଧେୟକ ଗୃହୀତ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଥିରୁ ସବୁଠୁ ମହତ୍ଵପୂର୍ଣ୍ଣ ରହିଛି ଓବିସି ସଂରକ୍ଷଣ(ପଛୁଆ ବର୍ଗ) ସାମ୍ବିଧାନିକ ସଂଶୋଧନ ବିଧେୟକ। କେନ୍ଦ୍ର ସରକାର ଏହି ବିଧେୟକକୁ ସୋମବାର ଲୋକସଭାରେ ଉପସ୍ଥାପନ କରିବେ। ଉଲ୍ଲେଖନୀୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ବିଧେୟକକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଯଦି ବିଧେୟକ ପାରିତ ହୁଏ ତେବେ ରାଜ୍ୟଗୁଡିକୁ କେଉଁ ଜାତିକୁ ଓବିସି ତାଲିକାଭୁକ୍ତ କରାଯିବ ତାର ନିର୍ଣ୍ଣୟ ନେବାର ଅଧିକାର ମିଳିଯିବ।

ରାଜ୍ୟସଭାରେ ବିରୋଧୀ  ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସୋମବାର କହିଛନ୍ତି, ସମସ୍ତ ବିରୋଧୀ ପାର୍ଟି ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକର ସମର୍ଥନ କରିବାକୁ ପ୍ରସ୍ତୁତ। ସଂସଦ ଭବନରେ ଆଜି ଅନୁଷ୍ଠିତ ବିରୋଧୀ ଦଳ ବୈଠକରେ ଖଡଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ପାର୍ଟି ସରକାରଙ୍କୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି।

ଖଡଗେ କହିଛନ୍ତି, ବିଧେୟକ ଗୃହୀତ ହେଲେ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ସଂପ୍ରଦାୟକୁ ଅଧିସୂଚିତ କରିବାର ଅଧିକାର ରାଜ୍ୟଗୁଡିକୁ ମିଳିଯିବ। ଏହି ଦେଶରେ ଅଧିକାଂଶ ଜନସଂଖ୍ୟା ପଛୁଆ ସମୁଦାୟର। ବିଧେୟକ ଉପସ୍ଥାପନ ହେବ, ଏହା ଉପରେ ଆଲୋଚନା ହେବ ଏବଂ ସେହି ଦିନ ହିଁ ଏହାକୁ ଗୃହୀତ କରାଯିବ ବୋଲି ଖଡଗେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଚଳିତ ବର୍ଷ ମେ ୫ ତାରିଖରେ ନିଜର ନିଷ୍ପତ୍ତିରେ କହିଥିଲେ ଯେ, ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର କେବଳ କେନ୍ଦ୍ର ପାଖରେ ରହିବ।

ସଂଶୋଧିତ ବିଧେୟକ ଗୃହୀତ ହେଲେ କଣ ପଡିବ ପ୍ରଭାବ ?

ସଂସଦର ସମ୍ଵିଧାନ ଅନୁଚ୍ଛେଦ ୩୪୨-ଏ ଓ ୩୬୬(୨୬) ସି ସଂଶୋଧନ ଉପରେ ଯଦି ମୋହର ବାଜିଯାଏ ତେବେ ରାଜ୍ୟଗୁଡିକ ପାଖରେ ଓବିସି ତାଲିକା ନିଜ ମନ ମୁତାବକ ପ୍ରସ୍ତୁତ କରିବାର ଅଧିକାର ମିଳିବ। ରାଜ୍ୟ ସରକାର କେଉଁ ଜାତିକୁ ଓବିସି ତାଲିକାଭୁକ୍ତ କରାଯିବ ତାର ନିର୍ଣ୍ଣୟ ନିଜେ ନେଇ ପାରିବେ। ମହାରାଷ୍ଟ୍ରରେ ମରାଠା ସମୁଦାୟ, ହରିୟାଣାରେ ଜାଟ୍ ସମୁଦାୟ, ଗୁଜରାଟରେ ପଟେଲ ସମୁଦାୟ  ଓ କର୍ଣ୍ଣାଟକରେ ଲିଙ୍ଗାୟତ ସମୁଦାୟକୁ ଓବିସି ବର୍ଗରେ ସାମିଲ କରାଯିବାର ସୁଯୋଗ ମିଳିବ। ଦୀର୍ଘ ସମୟ ଧରି ଏହି ସବୁ ଜାତି ସଂରକ୍ଷଣ ଦାବି କରି ଆସୁଛନ୍ତି।

Get real time updates directly on you device, subscribe now.