ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଆସନ୍ତା ୨ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।
ସେହିପରି ମଙ୍ଗଳବାର ଅର୍ଥାତ୍ ଆଜି ପାଇଁ ବିଜୁଳି, ଘଡ଼ଘଡ଼ି ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର । ସେହିପରି ୫ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ଦିନ ଯାଏଁ ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହା ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଛି ।