ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ଏନଫୋର୍ସମେଣ୍ଟ ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ୭ ତାରିଖରୁ ପ୍ରିଲିମ୍ସ ପରୀକ୍ଷା ଆରମ୍ଭ ହୋଇ ୧୧ ତାରିଖରେ ତାହା ସମାପ୍ତ ହେବ । ପରୀକ୍ଷା ୩ଟି ଶିଫ୍ଟରେ ଅନୁଷ୍ଠିତ ହେବ । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ, ୨.୩୦ରୁ ୨.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ଶିଫ୍ଟ ପରୀକ୍ଷା ହେବ । ପ୍ରିଲିମ୍ସ ପରୀକ୍ଷାକୁ ନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି ।
ମୋଟ ୧୦୦ଟି ପ୍ରଶ୍ନ ପାଇଁ ୧୦୦ ମାର୍କ ରହିବ । ପ୍ରାର୍ଥୀମାନେ ଦୁଇ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା ଦେବେ ଓ ପ୍ରତି ଭୁଲ୍ ଉତ୍ତର ପାଇଁ ୦.୨୫ ହିସାବରେ ନେଗେଟିଭ୍ ମାର୍କିଂ ରହିଛି । ଡିସେମ୍ବର ୨ ତାରିଖ ଠାରୁ ଏହି ପଦ ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପୂରଣ ପାଇଁ ଓଏସଏସସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ପଦର ଆବେଦନ ତାରିଖ ପରିବର୍ତ୍ତନ କରାଯିବା ସହ କରିଜେଣ୍ଡମ୍ ଜାରି କରାଯାଇ ବିଜ୍ଞପ୍ତିର ତ୍ରୁଟି ସଂଶୋଧନ କରାଯାଇଥିଲା ।