fbpx

OSSC ଚଳିତ ବର୍ଷ ଠାରୁ ଆୟୋଜନ କରିବ ଏକକ ଯୋଗ୍ୟତା ପରୀକ୍ଷା: ସ୍ନାତକ, ସ୍ନାତକୋତ୍ତର, ଟେକ୍ନିକାଲ ପଦବୀର ପରୀକ୍ଷା ଢାଞ୍ଚା ବଦଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ନିଯୁକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଚଳିତ ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ପ୍ରକ୍ରିୟା । ଏଣିକି ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ପିଲାଙ୍କୁ ନିଯୁକ୍ତି ଦିଆଯିବ । ପୂର୍ବ ପରି ଆଉ ଅଲଗା ଅଲଗା ପରୀକ୍ଷା କରାଯିବନି । ଗ୍ରାଜୁଏଟ, ଟେକ୍ନିକାଲ ଓ ପିଜି ବର୍ଗର ପିଲାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।

ଓଏସଏସସି ଗୋଟିଏ ପରୀକ୍ଷା କରି ବିଭିନ୍ନ ବିଭାଗର ଗ୍ରାଜୁଏଟ ସ୍ତରର ଖାଲି ପଦବୀ ପୂରଣ କରିବ । ସ୍ନାତକ, ସ୍ନାତକୋତ୍ତର ଓ ଟେକ୍ନିକାଲ ବର୍ଗରେ ପୂରଣ ହେବାକୁ ଥିବା ପଦବୀ ପାଇଁ ବର୍ଗ ଅନୁଯାୟୀ ଗୋଟିଏ ଦକ୍ଷତା ପରୀକ୍ଷା ହେବ । ଉକ୍ତ ଦକ୍ଷତା ପରୀକ୍ଷା ଅନୁଯାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ପ୍ରିଲିମିନାରୀ, ମେନ ଓ ଇଣ୍ଟରଭ୍ୟୁ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଦକ୍ଷତା ଚୟନ କରାଯିବ ।

ଯୁଗ୍ମ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା, ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା, ଯୁଗ୍ମ ସ୍ନାତକୋତ୍ତର ଦକ୍ଷତା ପରୀକ୍ଷା ମାଧ୍ୟମରେ ସମସ୍ତ ପଦବୀ ପୂରଣ କରାଯିବ । ଏହି ପ୍ରକ୍ରିୟା ଦ୍ୱାରା ଛାତ୍ରଛାତ୍ରୀଙ୍କ ସମୟ ବଞ୍ଚିବା ସହ ପରୀକ୍ଷା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ସରକାରୀ ସ୍ତରରେ ମଧ୍ୟ ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ ହ୍ରାସ ପାଇବ । ଓଏସଏସସି ଚୟନ କରୁଥିବା ଗ୍ରୁପ-ବି ଓ ଗ୍ରୁପ-ସି ପଦବୀ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଯୁଗ୍ମ ସ୍ନାତକୋତ୍ତର ଦକ୍ଷତା ପରୀକ୍ଷା ପାଇଁ ପାଖାପାଖି ୬ ଶହ ପଦବୀ, ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ପାଇଁ ପାଖାପାଖି ୧୧୦୦ ପଦବୀ ବାହାରିବ । ଚଳିତ ମାସ ଶେଷ ସୁଦ୍ଧା ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.