fbpx

ଓଟିଟିକୁ ନେଇ ସରକାରଙ୍କ ବଡ ପଦକ୍ଷେପ, ବିନା ଚେତାବନୀରେ ଦେଖାଇପାରିବେ ନାହିଁ ଏଭଳି ଦୃଶ୍ୟ

ନୂଆଦିଲ୍ଲୀ: ଚଳଚିତ୍ର ପରେ ସରକାର ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ତମାଖୁ ସେବନ ସହ ଜଡିତ ଦୃଶ୍ୟ ପାଇଁ ନିୟମ ପ୍ରସ୍ତୁତ କରିଛନ୍ତି । ସମସ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡିକୁ ଏହା ପାଳନ କରିବାକୁ ପଡ଼ିବ। ତେବେ ଏହି ନିୟମ ଗୁଡିକୁ ଠିକରେ ପାଳନ ହେଉଛି କି ନାହିଁ ତାହା ଉପରେ ନଜର ରଖିବା ପାଇଁ ସରକାର ଏକ କମିଟି ମଧ୍ୟ ଗଠନ କରିବେ। ଲୋକମାନଙ୍କର ସ୍ୱାସ୍ଥ୍ୟରକ୍ଷା ଏବଂ ତମାଖୁର କ୍ଷତିକାରକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସିଗାରେଚଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ସଂଶୋଧନ ନିୟମ ୨୦୨୩କୁ ଚଳିତ ବର୍ଷ ମେ୩୧ରେ ସୂଚିତ କରାଯାଇଥିଲା । ଏହାସହ ଜୁଲାଇ୨୫ତାରିଖରେ ରାଜ୍ୟସଭାରେ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି ।

ସରକାରଙ୍କ ଅନୁଯାୟୀ, ଏହି ନିୟମ ସମସ୍ତ ଅନଲାଇନ କଣ୍ଟେଟ୍ ଉପରେ ଲାଗୁ ହେବ । ଏଥିରେ ଓଟିଟି ଏବଂ ଟିଭି ଅନ୍ତର୍ଭୁକ୍ତ । ଯେତେବେଳେ ବି କୌଣସି କାର୍ଯ୍ୟକ୍ରମରେ ତମାଖୁ ବିଷୟରେ ଦେଖାଯିବ କିମ୍ବା ବ୍ୟବହାର କରାଯିବ ସେତେବେଳେ ପରଦାର ତଳେ ତମାଖୁ ବିରୋଧରେ ସ୍ୱାସ୍ଥ୍ୟ ଚେତାବନୀ ପ୍ରଦର୍ଶିତ ହେବ । ଏହା ସହ କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ଏବଂ ମଝିରେ ଓଟିଟିରେ ତମାଖୁ ବିରୋଧୀ ଚେତାବନୀ ଦେଖାଇବାକୁ ପଡିବ । ତେବେ ଚେତାବନୀର ଏହି ସ୍ପଟ୍ ଅତି କମରେ ୩୦ସେକେଣ୍ଡର ବିଜ୍ଞାପନ ଆକାରରେ ରହିବ । ଯେଉଁଥିରେ ଦର୍ଶକମାନଙ୍କୁ ତମାଖୁ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ଅବଗତ କରାଯିବ । ଏହା କରିବା ଦ୍ୱାରା ଦର୍ଶକମାନେ ଚେତାବନୀକୁ ଦେଖିବା ଓ ଶୁଣିବାରେ ସକ୍ଷମ ହେବେ । ଏହି ପଦକ୍ଷେପ ଦ୍ୱାରା ଧୂମପାନ ଓ ତମାଖୁ ଦ୍ରବ୍ୟ ବିରୋଧରେ ଦର୍ଶକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି ।

ସେହିପରି ସମସ୍ତ ଓଟିଟି ପ୍ଲାଟଫର୍ମ ଗୁଡିକ ଏହି ନିୟମକୁ ଅନୁସରଣ କରିବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ପ୍ରତିନିଧୀମାନେ ରହିବେ । ନିୟମାବଳୀ ପାଳନ କରିବା ଓ ସ୍ୱାସ୍ଥ୍ୟ ଚେତାବନୀ ପ୍ରଦର୍ଶିତ କରିବା ଦିଗରେ ସେମାନେ ଏକତ୍ର କାର୍ଯ୍ୟ କରିବେ ।

Get real time updates directly on you device, subscribe now.