ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କୀଟନାଶକ କାରଣରୁ 100ରୁ ଅଧିକ ମାଙ୍କଡଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ଖବର ସାମ୍ନାକୁ ଅଣାନଯିବା ପାଇଁ ମାଙ୍କଡମାନଙ୍କୁ ଗାତ କରି ପୋତି ଦିଆଯାଇଥିବା ଜଣାପଡିଛି । ଶୁକ୍ରବାର ଦିନ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ ପୋଷ୍ଟ ମର୍ଟମ ପାଇଁ ଗର୍ତ୍ତରେ ପୋତି ହୋଇଥିବା ମାଙ୍କଡମାନଙ୍କ ମୃତଦେହ ବାହାର କରିଥିଲେ । କ୍ଷେତ୍ରାଧିକାରୀ ଯୋଗେନ୍ଦ୍ର କୃଷ୍ଣ ନାରାୟଣ କହିଛନ୍ତି ଯେ ବୁଧବାର ମୃତ୍ୟୁ ବିଷୟରେ ପୋଲିସ ଜାଣିବାକୁ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ।
ଏନେଇ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର କର୍ମଚାରୀଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନାନୁସାରେ, ନଭେମ୍ବର 7 ରେ ଏଫସିଆଇ ଗୋଦାମରେ କୀଟପତଙ୍ଗ ଏବଂ ମୂଷାଙ୍କଠାରୁ ରକ୍ଷା କରିବା ପାଇଁ ଗହମ ଅଖା ଉପରେ ରସାୟନିକ ପଦାର୍ଥ ଆଲୁମିନିୟମ ଫସଫାଇଡ ସ୍ପ୍ରେ କରାଯାଇଥିଲା । ନଭେମ୍ବର 7 ତାରିଖ ରାତିରେ ମାଙ୍କଡମାନେ ଝରକା ଦେଇ ଗୋଦାମ ଭିତରକୁ ପ୍ରବେଶ କରିଥିଲେ କିନ୍ତୁ ଶ୍ବାସରୁଦ୍ଧ ହୋଇ ଆଉ ବଞ୍ଚି ପାରିଲେ ନାହିଁ । ନଭେମ୍ବର 9 ରେ ଶ୍ରମିକମାନେ ଗୋଦାମ ଖୋଲିବା ପରେ ଅନେକ ମାଙ୍କଡଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେମାନେ ଉଚ୍ଚ ପଦାଧିକାରୀଙ୍କୁ ନଜଣାଇ ଗାତ ଖୋଳି ମାଙ୍କଡ ମାନଙ୍କୁ ପୋତି ଦେଇଥିଲେ । ପୋଲିସର କହିବା ଅନୁସାରେ, 100ରୁ ଅଧିକ ମାଙ୍କଡକୁ ଉଦ୍ଧାର କରାଯାଇଛି ।