ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର ।

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର ।

ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ ଆକର୍ଷଣ ସୃଷ୍ଟି କରିଥାଏ । ରଜ ତିନିଦିନରୁ ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ଝିଅମାନେ ନୂତନ ବସ୍ତ୍ର ପିନ୍ଧି ପିଠା ଖାଇ, ଦୋଳି ଖେଳି ବେଶ୍ ଆଗ୍ରହର ସହକାରେ ମନାଇଥାନ୍ତି ରଜକୁ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ଅବସରରେ ରଜ ମହୋତ୍ସବ ଆୟୋଜନ ହେଉଛି । ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗୀତା ମଧ୍ୟ ହେଉଛି । କିଛି ସ୍ଥାନରେ ଭଳି କି ଭଳି ଦୋଳି ବି ହୋଇଥାଏ । 3 ଦିନ ଧରି ପାଳନ ହେଉଥିବା ରଜ ଉତ୍ସବକୁ ନେଇ ସବୁଠି ଉତ୍ସବର ପରିବେଶ ଦେଖିବାକୁ ମିଳିଛି ।

ତେବେ ରଜରେ ସବୁଠୁ ମୁଖ୍ୟ ଆକର୍ଷଣ ପାନ । ଏହାକୁ କଣ ଭୁଲି ହେବ । ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳେ । ବିଶେଷ କରି ଭଳି କି ଭଳି ମିଠା ମସଲା ଯୁକ୍ତ ପାନ, ରଜର ଆକର୍ଷଣକୁ ଅଧିକ ବଢାଇ ଦେଇଥାଏ ।

କାହିଁକି ପାଳନ କରାଯାଏ ରଜ ପର୍ବ ?

ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂଖନନ ବାରଣ କରାଯାଏ। ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ।

ଏହି 3 ଦିନ ମାଟି ମା ରଜସ୍ୱଳା ହୋଇଥିବାରୁ ଧରଣୀମାକୁ କଷ୍ଟ ନଦେଇ ଭୂମି ବିଶ୍ରାମ ଦିଆଯିବାର ପରମ୍ପରା ରହିଛି । ସେଥିପାଇଁ ରଜରେ କୌଣସି ନାରୀଙ୍କୁ କାମ କରିବାକୁ ଦିଆ ଯାଏ ନାହିଁ । ଏପରିକି ସେମାନଙ୍କୁ ମାଟିରେ ଖାଲିପାଦରେ ଚାଲିବାକୁ ବି ଦିଆଯାଏ ନାହିଁ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧିଭାବେ ପାଳିଥାଆନ୍ତି । ରଜ ପର୍ବର ବିଧିବିଧାନ, ଝିଅମାନଙ୍କୁ ସେମାନଙ୍କ ଜୀବନର ପ୍ରତିଟି ପାହାଚରେ କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇବା ପାଇଁ ସହାୟକ ହୋଇଥାଏ ।