fbpx

AUS Vs PAK; ୩୦୫ ରନରେ ଅଲଆଉଟ୍ ହେଲେ ବାବର ସେନା, ୬୨ ରନରେ ଜିତିଲା ଅଷ୍ଟ୍ରେଲିଆ କଙ୍ଗାରୁ ଦଳ

ଓଡ଼ିଶା ଭାସ୍କର: ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାବର ସେନାକୁ ୬୨ ରନରେ ହରାଇଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୬୮ ରନ ଲକ୍ଷ୍ୟ ଜବାବରେ ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜଓ୍ବାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ପ୍ୟାଟ୍ କମିନ୍ସ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଆରମ୍ଭରୁ ଅଷ୍ଟ୍ରେଲିଆର କେତୋଟି ଓ୍ବିକେଟ ନେଇ ଚାପ ସୃଷ୍ଟି କରିବା ପାକିସ୍ତାନର ଲକ୍ଷ୍ୟ ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ଓ୍ବାର୍ଣ୍ଣର ଓ ମିଚେଲ ମାର୍ସ ପାକିସ୍ତାନର ଏହି ଯୋଜନାରେ ପାଣି ପକାଇଦେଇଥିଲେ । ଉଭୟ ଓପନର ପ୍ରଥମ ଓ୍ବିକେଟ ଯୋଡ଼ିରେ ରେକର୍ଡ ୨୫୯ ରନ କରିଥିଲେ । ଓ୍ବାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରି ୧୬୩ ରନ କରିଥିବାବେଳେ ମାର୍ସ ୧୨୧ ରନ କରିଥିଲେ । ତେବେ ଏହି ଦୁଇ ଓ୍ବିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୫ଟି ଓ୍ବିକେଟ ନେଇଥିବାବେଳେ ହାରିସ ରୌଫ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ଉସାମା ମୀର ଗୋଟିଏ ଓ୍ବିକେଟ ନେଇଥିଲେ।

Get real time updates directly on you device, subscribe now.