fbpx

ପଡ଼ୋଶୀ ଦେଶରେ ପହଞ୍ଚିଲା ଜି-୨୦ ସଫଳତାର ବାସ୍ନା: ପାକିସ୍ତାନ ସରକାର ବିରୋଧରେ ଗର୍ଜିଲେ ନିଜ ଦେଶର ନାଗରିକ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତକୁ ବିଶ୍ୱର ଟପନେତାଙ୍କର ସୁଅ ଛୁଟିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଭିବୃଦ୍ଧିର ଛବିକୁ ବିଶ୍ୱ ଦରବାରେ ପହଞ୍ଚାଇବା ସହିତ ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି । ଗୋଟିଏ ପଟେ ନୂଆଦିଲ୍ଲୀ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଅନ୍ୟପଟେ ପଡ଼ୋଶୀ ଦେଶ ସତେ ଯେମିତି ଦୁଃଖ ଆଉ କ୍ରୋଧର ଘେରରେ ଛନ୍ଦି ହୋଇ ଯାଇଛି ।

ଭାରତରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀକୁ ନେଇ ପାକିସ୍ତାନର ନାଗରିକମାନେ ନିଜ ଦେଶର ସରକାର ବିରୋଧରେ ବର୍ଷିଛନ୍ତି । ଗୋଟିଏ ଭୋକିଲା, ବେସାହାରା ଦେଶ ପାଖକୁ କେହି ଆସିବେନି ବୋଲି କିଛି ଲୋକ କହିଛନ୍ତି । ସେହିପରି ପାକିସ୍ତାନକୁ ନିଜର ସ୍ଥିତି ସୁଧାରିବାକୁ ହେଲେ ପଡ଼ୋଶୀଙ୍କ ସହିତ ସମ୍ପର୍କକୁ ମଜବୁତ କରିବାକୁ ପଡ଼ିବ ବୋଲି ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ।

ଆମେରିକା, ଇଂଲଣ୍ଡଠାରୁ ଆରମ୍ଭ କରି ଜର୍ମାନୀର ରାଷ୍ଟ୍ରମୁଖ୍ୟମନ୍ତ୍ରୀମାନେ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । ମାତ୍ର ଏହାକୁ ପାକିସ୍ତାନ ପସନ୍ଦ କରୁନଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ନେଇ ତା’ର କିଛି ମତଲବ ନଥିବା କିଛିଦିନ ତଳେ ପାକିସ୍ତାନ କହିଥିଲା । ମାତ୍ର ଏବେ ବିଶ୍ୱସ୍ତରରେ ଭାରତର ଶକ୍ତିକୁ ଦେଖି ପାକିସ୍ତାନ ସତେ ଯେମିତି ଈର୍ଷାନ୍ୱିତ ହୋଇ ପଡ଼ିଛି । ପାକିସ୍ତାନର ଏକ ୟୁଟ୍ୟୁବ ଆଙ୍କର ଦେଶର କିଛି ଜନତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେମାନେ ଗର୍ଜି ଉଠିଥିଲେ ।

ପାକିସ୍ତାନ ଭୁଲ ଭାବେ ସ୍ୱାଧୀନତା ଲାଭ କରିଛି । ଯେଉଁମାନେ ବିଭାଜନକୁ ବିରୋଧ କରୁଥିଲେ ସେମାନେ ଠିକ୍ ଥିଲେ ବୋଲି ଜଣେ ବୟସ୍କ କହିଛନ୍ତି । ସେହିପରି ଭାରତ ଆଗାମୀ ଦିନ ବହୁତ ଆଗକୁ ଯିବ । ପାକିସ୍ତାନଠାରୁ କଶ୍ମୀରର ଲୋକମାନେ ଅଧିକ ସୁବିଧାରେ ରହିଛନ୍ତି ବୋଲି ପିଓକେର ଜଣେ ବାସିନ୍ଦା କହିଥିଲେ । ପାକିସ୍ତାନ ସହିତ କୌଣସି ଦେଶ ବନ୍ଧୁତା ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ । ପାକିସ୍ତାନ କେବଳ ଅର୍ଥ ମାଗିବାକୁ ଆସୁଥିବା ସବୁ ଦେଶ ଭାବୁଛନ୍ତି ବୋଲି କିଛି ପାକ୍ ନାଗରିକ କହିଛନ୍ତି ।

Get real time updates directly on you device, subscribe now.