ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଉପରେ ICC ଲଗାଇଲା ଜୋରିମାନା

ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି ଆୟୋଜକ ପାକିସ୍ତାନ। ହେଲେ ଭାରତ ସହ ଦ୍ୱିତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ପାକିସ୍ତାନ ଉପରେ ICC ଲଗାଇଛି ଜୋରିମାନା। ହେଲେ କାହିଁକି?

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠୁ ବଡ଼ ମ୍ୟାଚ୍, ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ଫେବୃଆରୀ ୨୩ ତାରିଖରେ ଦୁବାଇରେ ଖେଳାଯିବ। ଯଦି ଦେଖିବା ଏହି ଚ୍ୟାମ୍ପିୟନ୍ସ ଟ୍ରଫି ଚଳିତ ବର୍ଷ ପାକିସ୍ତାନ ଆୟୋଜନ କରିଛି। ହେଲେ ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡଠାରୁ ହାରିବା ପରେ ଆୟୋଜକ ପାକିସ୍ତାନ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିପାରେ ବୋଲି ଆଶଙ୍କା କରାଯାଉଛି।

ତେଣୁ କଳେବଳେ କୌଶଳେ ୨୩ ତାରିଖରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ପାକିସ୍ତାନକୁ ଭାରତକୁ ହରାଇ ମ୍ୟାଚ୍ ଜିତିବାକୁ ପଡିବ। ହେଲେ ସବୁଠୁ ବଡ଼ କଥା ଏହି ମ୍ୟାଚ୍ ଖେଳାଯିବା ପୂର୍ବରୁ ICC ପାକିସ୍ତାନ ଉପରେ ଜୋରିମାନା ଲଗାଇଛି।

ପ୍ରଥମ ମ୍ୟାଚ୍: ଯଦି ଦେଖିବା ଏହି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡଠାରୁ ୬୦ ରନରେ ପରାସ୍ତ ହୋଇଥିଲା। କରାଚୀରେ ଖେଳାଯାଇଥିବା ଏହି ମ୍ୟାଚରେ ଧୀର ଓଭର ରେଟ୍ ଯୋଗୁଁ ପାକିସ୍ତାନ ଦଳକୁ ମ୍ୟାଚ୍ ଫି’ର ପାଞ୍ଚ ପ୍ରତିଶତ ଜୋରିମାନା କରାଯାଇଥିଲା।

ପାକିସ୍ତାନ ଉପରେ ଜୋରିମାନା: ଗ୍ରାଉଣ୍ଡ ଅମ୍ପାୟାର ରିଚାର୍ଡ କେଟଲବରୋ ଏବଂ ଶାରଫୁଦ୍ଦୌଲା, ତୃତୀୟ ଅମ୍ପାୟାର ଜୋଏଲ୍ ୱିଲସନ୍ ଏବଂ ଚତୁର୍ଥ ଅମ୍ପାୟାର ଆଲେକ୍ସ ୱାର୍ଫ ଏହି ଅଭିଯୋଗ ଆଣିଥିଲେ। ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରାଫ୍ଟ ଏହି ଜରିମାନା ଲଗାଇଛନ୍ତି। ପାକିସ୍ତାନର ମ୍ୟାଚ୍ ଫି’ର ୫ ପ୍ରତିଶତ ଜରିମାନା ଭାବରେ କାଟି ଦିଆଯାଇଛି।

କାହିଁକି ଲାଗିଲା ଜୋରିମାନା: ICC ଆଚରଣ ସଂହିତାର ଧାରା 2.22 ଅନୁଯାୟୀ, ଯାହାର ସର୍ବନିମ୍ନ ଓଭର-ରେଟ୍ ରହିବ ତାହାକୁ ଅପରାଧ ବୋଲି ଧରାଯାଏ। ଏଥିରେ ଯଦି ଖେଳାଳିଙ୍କ ଦଳ ନିର୍ଦ୍ଧାରିତ ସମୟରେ ସମସ୍ତ ଓଭର ବୋଲିଂ କରିନପାରେ ତେବେ ପ୍ରତି ଓଭର ପାଇଁ ସେମାନଙ୍କ ମ୍ୟାଚ୍ ଫି’ର ପାଞ୍ଚ ପ୍ରତିଶତ ଜରିମାନା ଦେବାକୁ ପଡିବ। ଯାହା ପାକିସ୍ତାନ ଉପରେ ଲାଗୁ ହୋଇଛି।

ଭାରତ-ପାକିସ୍ତାନ ମ୍ୟାଚ୍: ରବିବାର ଦିନ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଦମଦାର ଲଢେଇ। ନ୍ୟୁଜିଲାଣ୍ଡ ହାତରୁ ପ୍ରଥମ ଇନିଂସ ହାରିବା ପରେ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡିବାର ଆଶଙ୍କା ରହିଛି।

ସେପଟେ ଭାରତ ମଧ୍ୟ ଫୁଲ୍ ଫର୍ମରେ ରହିଛି।ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଆଉ ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ସହ ଖେଳିବାକୁ ଯାଉଛି। ଆଉ ଯଦି ଏହି ମ୍ୟାଚରେ ଭାରତ ଜିତିଯାଏ। ତେବେ ପାକିସ୍ତାନକୁ ଦୁଇଟି ଲଗାତାର ମ୍ୟାଚ୍ ହାରିବାକୁ ପଡିବ। ତେଣୁ ଏହି ମ୍ୟାଚ୍ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ଆଣି ଛିଡ଼ାକରିଛି।