fbpx
BSKY SKY
BSKY SKY

ନେପାଳ ସୀମାରୁ ଭାରତକୁ ବେଆଇନ ଭାବେ କରୁଥିଲେ ପ୍ରବେଶ: ଧରାପଡ଼ି ଗିରଫ ହେଲେ ପାକିସ୍ତାନୀ ମା-ପୁଅ

BSKY

ନୂଆଦିଲ୍ଲୀ: ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ସମୟରେ ଜଣେ ମହିଳା ଏବଂ ତାଙ୍କ ନାବାଳକକୁ ଗିରଫ କରାଯାଇଛି। ମହିଳା ଜଣକ ହେଲେ ସାୟେଷ୍ଟା ହନିଫ ଏବଂ ତାଙ୍କ ପୁଅ ଆରିୟାନ ମହମ୍ମଦ ହନିଫ । ସାୟେଷ୍ଟା ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ପାଣିଟାଙ୍କୀ କ୍ରସିଂରେ ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାରେ ବେଆଇନ ଭାବେ ପ୍ରବେଶ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କ ପାସପୋର୍ଟରୁ ସେମାନେ ପାକିସ୍ତାନୀ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ମହିଳା ଜଣକ ତାଙ୍କ ନାବାଳକ ପୁଅ ସହ ବେଆଇନ ଭାବେ ବିନା ଭିସା ଏବଂ ବିନା କୌଣସି ଉପଯୁକ୍ତ ଦଲିଲରେ ଭାରତରେ ପ୍ରବେଶ କରୁଥିଲେ। ତେବେ ମହିଳାଙ୍କ ସନ୍ଦେହଜନକ ବ୍ୟବହାର ଦେଖି ଏସଏସବି ଯବାନମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏସସିବିର ୪୧ ତମ ବାଟାଲିୟନ ମହିଳା ଏବଂ ତାଙ୍କ ପୁଅକୁ ସୀମା ନିକଟରେ ଗିରଫ କରିଛି। ଉଭୟଙ୍କୁ ସ୍ଥାନୀୟ ଖରିବରୀ ପୁଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କୁ ଗୁରୁବାର ଦାର୍ଜିଲିଂ ଜିଲ୍ଲା କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି।

ତେବେ ସେମାନେ ନେପାଳର ଜାପା ଜିଲ୍ଲାର କାକରବିଟ୍ଟାରୁ ଯାଉଥିବା ଏକ ବସ୍ ଦ୍ୱାରା ପାଣିଟାଙ୍କୀ ସୀମା ଦେଇ ଭିସା ଏବଂ ଆନୁଷଙ୍ଗିକ ଦଲିଲ ବିନା ଭାରତରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି। ଯବାନମାନେ ମହିଳା ଏବଂ ପୁଅର ପାକିସ୍ତାନୀ ପାସପୋର୍ଟ ଦେଖିଥିଲେ । କିନ୍ତୁ ଭାରତ ଆସିବା ପାଇଁ ସରକାରୀ ଭିସା ନଥିବା କାରଣରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସେମାନଙ୍କ ପାସପୋର୍ଟ ଅନୁଯାୟୀ ସେମାନେ କରାଚିର ବାସିନ୍ଦା । ତେବେ ନେପାଳକୁ ସେମାନଙ୍କର ଟୁରିଷ୍ଟ ଭିସା ରହିଥିବା ସ୍ଥାନୀୟ ପୋଲିସ ଅଧିକାରୀ ସ୍ପଷ୍ଟୀକରଣ ଦେଇଛନ୍ତି। ମହିଳାଙ୍କ ନିକଟରୁ ଉଦ୍ଧାର ହୋଇଥିବା ଅନ୍ୟ ଜିନିଷ ମଧ୍ୟରେ ଦୁଇଟି ମୋବାଇଲ୍ ଫୋନ୍, ଦୁଇଟି ସିମ୍ କାର୍ଡ, ନେପାଳର ୧୦,୦୦୦ ଟଙ୍କା, ଭାରତୀୟ ମୁଦ୍ରାରେ ୧୬,୫୦୦ ଟଙ୍କା, ୬ ୟୁରୋ ଏବଂ ୧୬୬ ରିଅଲ୍ ରହିଛି।

ଅନ୍ୟପକ୍ଷରେ ମହିଳା ଜଣକ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନାରେ ରହୁଥିବା ତାଙ୍କ ଭଉଣୀଙ୍କୁ ଭେଟିବା ପାଇଁ ଭାରତରେ ପ୍ରବେଶ କରିଥିବା କହିଛନ୍ତି।

Get real time updates directly on you device, subscribe now.