fbpx

ନୂଆବର୍ଷରୁ ଲାଗୁହେଲା ନୂଆ ନିୟମ: ଆଜିଠାରୁ ଶ୍ରୀମନ୍ଦିରରେ ପାନ, ଗୁଟଖା, ପ୍ଲାଷ୍ଟିକ ଓ ପଲିଥିନ୍ ମନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ୨୦୨୪ରେ ପୁରୀ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଏହି କଟକଣା ଲାଗୁ କରିବା ପାଇଁ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ଭିତରେ କେହି ପାନ, ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭକ୍ତ ଓ ସେବାୟତ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

ନୂଆବର୍ଷରେ ବଡ଼ ଦେଉଳରେ ଭକ୍ତଙ୍କୁ ନୂଆ ସୁବିଧା ମିଳିବ । ଏନେଇ ଜିଲ୍ଲା, ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରଛି । ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଶେଡ୍ ତିଆରି କରାଯାଇଛି । ମରିଚିକୋଟ ଛକରୁ ଫ୍ୟାବ୍ରିକ୍ ଷ୍ଟ୍ରକଚରରେ ତିଆରି ଏହି ଶେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ସେଠାରୁ ସାନଛତା ମଠ ଦେଇ ବଡ଼ ଆଖଡ଼ା ମଠ ସମ୍ମୁଖ ପରିକ୍ରମା ମାର୍ଗ ରାସ୍ତାରେ ନୂତନ ଭାବେ ତିଆରି ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବେ ।

ଭକ୍ତମାନେ ଦର୍ଶନ ପରେ ଉତ୍ତର ଦ୍ୱାରରେ ବାହାରି ଦୋଳବେଦୀ କୋଣ ପଛ ରାସ୍ତା ଦେଇ ଶ୍ରୀକୃଷ୍ଣ ସିନେମା ଗଳି ରାସ୍ତାରେ ବଡ଼ଦାଣ୍ଡକୁ ବାହାରିବେ । ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ପିଲାଙ୍କୁ ସାଙ୍ଗରେ ନେଇଥିବା ମହିଳାଙ୍କୁ ସହାୟତା କରିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଆନନ୍ଦ ବଜାରକୁ ନୂଆ ରୂପ ଦିଆଯାଇଛି । ପୂର୍ବରୁ ସେବାୟତମାନେ ଜରିପାଲ, ଛତା ପକାଇ ଅବଢ଼ା ବିକ୍ରି କରୁଥିଲେ । ମାତ୍ର ତାହାକୁ ଏବେ ହଟାଯାଇ ଫ୍ୟାବ୍ରିକ୍ ଷ୍ଟ୍ରକଚର ତିଆରି କରାଯାଇଛି । ତା’ ତଳେ ବସି ସୁଆର ସେବାୟତମାନେ ମହାପ୍ରସାଦ ବିକ୍ରି କରୁଛନ୍ତି । ସେବାୟତ, କର୍ମଚାରୀ, ଭକ୍ତ କେହି ବି ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେନି । ଏଥିସହିତ ନୂଆବର୍ଷରୁ ଶ୍ରୀମନ୍ଦିର ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ହେବ ।

Get real time updates directly on you device, subscribe now.