fbpx

ପୁରୁଣା ଫର୍ମକୁ ଫେରିଲେ ପାଣ୍ଡ୍ୟା: ଦମଦାର ପାଳି ସହିତ ଦଳକୁ ଦେଲେ ମଜବୁତ ସ୍କୋର

ମୁମ୍ବାଇ: ମୁମ୍ବାଇର D Y ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚାଲିଛି ହାଇ ଭୋଲଟେଜ ମୁକାବିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଗରେ ୧୯୩ ରନର ଲକ୍ଷ୍ୟ ରଖିଛି ଗୁଜୁରାଟ ଟାଇଟନ୍ସ । ଦଳ ତରଫରୁ ଅଧିନାୟକ ପାଣ୍ଡ୍ୟା ତାଙ୍କ ପୁରୁଣା ଅନ୍ଦାଜରେ ଦେଖାଯାଇଛନ୍ତି । ତାଙ୍କର ଏହି ଜବରଦସ୍ତ ପାଳି ଫଳରେ ଦଳ ରାଜସ୍ଥାନକୁ ୧୯୩ ରନର ଏକ ବଡ ସ୍କୋର ଟାର୍ଗେଟ ଦେଇ ପାରିଛି ।

ପୁଣିଥରେ ଛକା-ଚୌକାର ବର୍ଷା କରିଛନ୍ତି ହାର୍ଦ୍ଦିକ । ମାତ୍ର ୫୨ ବଲରେ ୪ ଚୌକା ଏବଂ ୮ ଛକା ସହ ୮୭ ରନର ଏକ ବିସ୍ଫୋରକ ଇନିଂସ ଖେଳି ଦଳକୁ ୧୯୨ରେ ପହଞ୍ଚାଇଛନ୍ତି । ତାଙ୍କ ବ୍ୟତୀତ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଅଭିନବ ମନୋହର ମଧ୍ୟ ୨୮ ବଲରୁ ୨ ଛକା ଏବଂ ୪ ଚୌକା ସହ ୪୩ ରନ ସଂଗ୍ରହ କରିଛନ୍ତି । ତେବେ ଶେଷ କିଛି ବଲରେ ଡାଭିଡ ମିଲର ମଧ୍ୟ ନିଜ ପୁରୁଣା ଲୟରେ ଥିବା ଦେଖାଯାଇଛି । ୧୪ ବଲ ଖେଳିଥିବା ମିଲର ୧ଗୋଟିଏ ଛକା ଏବଂ ୫ଟି ଚୌକା ଦ୍ୱାରା ୩୧ ରନର ଦ୍ରୁତ ପାଳି ଖେଳିଛନ୍ତି । ତେବେ ହାର୍ଦ୍ଦିକଙ୍କ ଦଳର ଟପ ଅର୍ଡର ଆଜି ଫେଲ ମାରିଛି । ମାଥ୍ୟୁ ୱେଡ ୧୨, ଶୁଭମନ ଗିଲ ୧୩ ଏବଂ ବିଜୟ ଶଙ୍କର ମାତ୍ର ୨ ରନ କରି ପାଭିଲିୟନ ଫେରିଛନ୍ତି ।

ସେପଟେ ରାଜସ୍ଥାନ ପକ୍ଷରୁ କୁଳଦୀପ ସେନ, ରିୟାନ ପରାଗ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ସଫଳତା ହାସଲ କରି ପାରିଛନ୍ତି । ତେବେ କୁଳଦୀପ ସେନ ୪ ଓଭରରେ ୫୧ ରନ ଦେଇ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ରିୟାନ ପରାଗ ଗୋଟିଏ ଓଭର ବୋଲିଂ କରି ୧୨ ରନ ବ୍ୟୟ କରିଥିବା ବେଳେ ଗୋଟିଏ ୱିକେଟ ଅକ୍ତିଆର କରି ନେଇଛନ୍ତି । ତେବେ ଜିମି ନିଶମ, ପ୍ରସିଦ୍ଧ କୃଷ୍ଣା ଏବଂ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମ୍ୟାଚରେ ୱିକେଟଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.