ବେଙ୍ଗାଲୁରୁ: ସର୍ବଦା ପିଲାଙ୍କ ନିଚ୍ଚ କାମ ପାଇଁ ଅଭିଭାବକଙ୍କୁ ଲଜ୍ଜିତ ହେବାକୁ ପଡିଥାଏ। ଯଦି ଅଭିଭାବକ ନେତା କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ତ ପିଲାଙ୍କ ଭାଉ ଆହୁରି କେତେ କଣ ବଢିଯାଏ। ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ। ଏମିତି କିଛି ଘଟଣା କର୍ଣ୍ଣାଟକରେ ଘଟିଛି। ଝିଅର ବ୍ୟବହାର ପାଇଁ ବିଜେପି ବିଧାୟକ କ୍ଷମା ମାଗିଛନ୍ତି। ଝିଅ ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁର୍ବ୍ୟବହାର କରିଥିଲେ।
ପୋଲିସ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଲିମ୍ବାବଲିଙ୍କ ଝିଅଙ୍କୁ ଦ୍ରୁତ ଗତିରେ କାର ଚଳାଇବା ନେଇ ଅଟକାଇଥିଲେ। ଏହାକୁ ନେଇ ବିଧାୟକଙ୍କ ଝିଅ ପୋଲିସକୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଥିଲେ। ପୋଲିସ ମାମଲା ରୁଜୁ କରିବା ପରେ ହିଁ କାରକୁ ଯିବାକୁ ଦେଇଥିଲା। ପୋଲିସ ଅନୁଯାୟୀ, ବିଏମଡବ୍ଲ୍ୟୁ କାରରେ ବସିଥିବା ବିଧାୟକଙ୍କ ଝିଅ ପୋଲିସ ବିଭାଗର ଏକ କାରକୁ ଦ୍ରୁତ ବେଗରେ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ବିଧାନସଭା ନିକଟସ୍ଥ କ୍ୟାପିଟାଲ୍ ହୋଟେଲ ନିକଟରେ ଘଟିଛି। ଏଠାରେ ବିଧାୟକଙ୍କ ବୈଠକ ଚାଲିଥିଲା। ବିଏମଡବ୍ଲ୍ୟୁ କାରର ଓଭର ସ୍ପିଡ କାରଣରୁ ପୋଲିସ ଗାଡିକୁ ଅଟକାଇଥିଲା। ଏହାକୁ ନେଇ ପୋଲିସ ଏବଂ ବିଧାୟକଙ୍କ ଝିଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ବିଧାୟକଙ୍କ ଝିଅଙ୍କ କହିବା କଥା ସେ କୌଣସି ନିୟମର ଉଲ୍ଲଂଘନ କରି ନାହାନ୍ତି, ତାଙ୍କୁ ଯିବାକୁ ଦିଆଯାଉ। କିନ୍ତୁ ପୋଲିସ ନିଜ କଥାରେ ଅଟଳ ଥିଲା ଯେ, ବିଧାୟକଙ୍କ ଝିଅ ଦ୍ରୁତ ବେଗରେ ଗାଡି ଚଳାଇଥିଲେ। ଯୁକ୍ତିତର୍କ ସମୟରେ ସେ ବିଧାୟକଙ୍କ ଝିଅ ବୋଲି କହିଥିଲେ। ବିଧାୟକଙ୍କ ଝିଅ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ମୋ ଉପରେ କେସ୍ କରାଯାଇ ପାରିବ ନାହିଁ।
କେବଳ ଏତିକି ନୁହେଁ ଏହି ସମୟରେ ଭିଡିଓ ସୁଟ୍ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଧ୍ୟ ବିଧାୟକଙ୍କ ଝିଅ ପ୍ରବଳ ଯୁକ୍ତିତର୍କ କରିବା ସହ କ୍ୟାମେରାକୁ ବାଡେଇଥିଲେ। ପରେ ପୋଲିସ ଜରିମାନା ଲଗାଇବା ପରେ କାରକୁ ଯିବାକୁ ଦେଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଲୋକେ ବିଧାୟକଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଏହି ପୁରା ମାମଲାରେ ବିଧାୟକ କ୍ଷମା ମାଗିଛନ୍ତି। ହେଲେ ବିଧାୟକ ନିଜ ବୟାନରେ କହିଛନ୍ତି ଯେ, କାର ତାଙ୍କ ଝିଅ ନୁହେଁ ବରଂ ତାର ସାଙ୍ଗ ଚଲାଉଥିଲା। କିନ୍ତୁ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ତାଙ୍କ ଝିଅ ହିଁ ଡ୍ରାଇଭିଂ ସିଟରେ ବସିଥିଲେ।