କିଏ ଏହି ପପୁ ଚା’ ବାଲା ଯାହାଙ୍କ ସ୍ୱାସ୍ଥ୍ୟ ଖରାପ ଶୁଣି ଫୋନ୍ କରିଥିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ କଥା

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାରଣାସୀ ଲୋକମାନଙ୍କ ସହ ଏକ ବିଶେଷ ସଂପର୍କ ରହିଛି ବୋଲି କୁହାଯାଏ ଯାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି । ବାରାଣସୀରେ ପପୁ ଚା’ ବାଲା ବେଶ୍ ଲୋକପ୍ରିୟ । ବାରାଣସୀରେ ତାଙ୍କର ଏକ ଚା’ ଦୋକାନ ରହିଛି ଯେଉଁଠି ଗରମ ଚା’ର ସ୍ୱାଦ ସହିତ ଦେଶ ଓ ଦେଶ ବାହାରର ବିଭିନ୍ନ ଖବରକୁ ନେଇ ଚର୍ଚ୍ଚା ହୋଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଠାରେ ଚା’ର ସ୍ୱାଦ ଉଠାଇ ସାରିଛନ୍ତି ।

ଏହି ପପୁ ଚା’ ବାଲା ଦୋକାନର ମାଲିକ ହେଉଛନ୍ତି ବିଶ୍ୱନାଥ ସିଂହ ଯାହାଙ୍କ ସ୍ୱାସ୍ଥ୍ୟ ଏବେ ଖରାପ ଅଛି । ଏହି ଖବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ପହଞ୍ଚିଯିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ବିଶ୍ୱନାଥ ସିଂହଙ୍କ ପୁଅ ମନୋଜ ସିଂହଙ୍କ ପାଖକୁ ତୁରନ୍ତ ଫୋନ୍ କଲ୍ ଆସିଥିଲା । ପ୍ରଧାନମନ୍ତ୍ରୀ ମନୋଜଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱନାଥ ସିଂହଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ ଲାଗି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଫୋନ୍ କଲ୍ ପରେ ପୁଣିଥରେ ୨୦୨୨ ବିଧାନସଭା ନିର୍ବାଚନ ଅଭିଯାନର ସ୍ମୃତି ତାଜା ହୋଇଯାଇଛି । ଏହି ସମୟରେ ବିଶ୍ୱନାଥ ସିଂହ ଓରଫ ପପୁ ବାରାଣସୀର ଅରସି ଅଞ୍ଚଳରେ ନିଜ ଦୋକାନରେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ସନ୍ତୁଷ୍ଟ କରିଥିଲେ । ମନୋଜ କହିଛନ୍ତି ୫ ଦିନ ତଳେ ତାଙ୍କ ବାପାଙ୍କ ଦେହ ଖରାପ ହୋଇଯାଇଥିଲା । ଏହାପରେ ସେ ତାଙ୍କୁ ମା’ ଆନନ୍ଦମୟୀ ହସ୍ପିଟାଲ ନେଇଯାଇଥିଲେ । ଚିକିତ୍ସା ପରେ ଏବେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.