fbpx

Parliament Budget session: ବିକଶିତ ଭାରତ ଲାଗି ମୋଦୀ ୩.୦ର ଆବଶ୍ୟକତା ରହିଛି; ରାଜ୍ୟସଭାରେ ଏପରି କହିଲେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ତାଙ୍କର ଧନ୍ୟବାଦ ପ୍ରସ୍ତାବ(Motion of Thanks) ରଖିଛନ୍ତି । ଗତ ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଜେଟ୍ ଅଧିବେଶନ ଶେଷ ଅଧିବେଶନ ଅଟେ । ତେବେ ଧନ୍ୟବାଦ ପ୍ରସ୍ତାବ ରଖିବା ସମୟରେ ରାଜ୍ୟସଭାରେ ମୋଦୀ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମତ ରଖିବା ସହ କଂଗ୍ରେସକୁ ବିଭିନ୍ନ ଦିଗରୁ ସମାଲୋଚନା କରିଛନ୍ତି ।

ମୋଦୀ କହିଛନ୍ତି ଆମ ସରକାରର ତୃତୀୟ ପାଳି ବେଶୀ ଦୂର ନୁହେଁ । କିଛି ଲୋକ ଏହାକୁ ମୋଦୀ ୩.୦ କହୁଛନ୍ତି । ମୋଦୀ ୩.୦ ବିକଶିତ ଭାରତର ସ୍ୱପ୍ନ ପୂରଣ ଲାଗି ଏହାର ସବୁ ଶକ୍ତି ଲଗାଇ ଦେବ । ସେ କହିଛନ୍ତି କଂଗ୍ରେସ ଓ ଏହାର ସହଯୋଗୀ ଦଳ ଦେଶର ବିକାଶରେ ଅନୁସୂଚିତ ଜାତି/ଉପଜାତି ଓ ପଛୁଆ ବର୍ଗଙ୍କ ଯୋଗଦାନ ବୃଦ୍ଧି କରିବା ଦିଗରେ କଂଗ୍ରେସ ସର୍ବଦା ଅନିଚ୍ଛା ପ୍ରକାଶ କରିଛି । ବାବା ସାହେବଙ୍କ ମହତ୍ତ୍ୱ ଚିନ୍ତାଧାରାକୁ କଂଗ୍ରେସ ସର୍ବଦା ଧୂଳିସାତ୍ କରିଛି । ତାଙ୍କୁ ଭାରତ ରତ୍ନ ଦେବାରେ କଂଗ୍ରେସର କୌଣସି ଉଦ୍ୟମ ନ ଥିଲା । ଯେତେବେଳେ ବିଜେପି ନେତୃତ୍ୱରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ହେଲା ସେତେବେଳେ ତାଙ୍କୁ ଭାରତ ରତ୍ନ ଦିଆଗଲା । ଦେଶରେ ପ୍ରଥମ ଥର ପାଇଁ ଏନ଼ଡିଏ ସରକାର ଜଣେ ଆଦିବାସୀ କନ୍ୟାଙ୍କୁ ରାଷ୍ଟ୍ରପତି ପଦରେ ଆସୀନ କଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ସଫଳତା ମନ୍ତ୍ର ଯାହା ଥିଲା ଏବେ ପ୍ରଧାନମନ୍ତ୍ରୀ ହେବା ପରେ ବି ତାହା ରହିଛି । ସେ ସର୍ବଦା କହି ଆସିଛନ୍ତି ଦେଶର ବିକାଶ ଲାଗି ରାଜ୍ୟର ବିକାଶକୁ ପ୍ରାଥମିକତା ଦିଆଯିବା ଉଚିତ । ଏହି କଥାରେ କୌଣସି ଦ୍ୱିମତ ନାହିଁ । ସେ କହିଛନ୍ତି ଯଦି ରାଜ୍ୟ ଗୋଟିଏ ପାଦ ଆଗକୁ ଯିବ ତେବେ ଏହା ଦେଶକୁ ୨ ପାଦ ଆଗକୁ ଯିବାକୁ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ଦେଶର ବିକାଶ କାର୍ଯ୍ୟକୁ ଅବମୂଲ୍ୟାୟନ କରୁଛି । ଏହାସହ ସେ କହିଛନ୍ତି କି କଂଗ୍ରେସର ଅଧୋପତନ ଲାଗି ମୁଁ ସହାନୁଭୂତି ଜଣାଉଛି । କଂଗ୍ରେସ ଏବେ ଆଉଟଡେଟେଡ୍ ବା ସମୟଅନୁପଯୋଗୀ ହୋଇଯାଇଛି । ଏହା ସହିତ ମୋଦୀ କହିଛନ୍ତି କଂଗ୍ରେସ ଭାରତକୁ ଭାଗ ଭାଗ କରିବାକୁ ଚାହୁଁଛି । ସେ କହିଛନ୍ତି ରାଜ୍ୟର ବିକାଶ ଲାଗି ଅଧିକ ଫଣ୍ଡର ଆବଶ୍ୟକତା ରହିଛି । ଆମେ ରାଜ୍ୟ ଫଣ୍ଡିଂକୁ ଏକ କ୍ଷୁଦ୍ର ଚିନ୍ତାଧାରା ନେଇ ଦେଖିପାରିବା ନାହିଁ ।

ସେ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି କଂଗ୍ରେସ ତାଙ୍କ ଯୁବରାଜଙ୍କୁ ଏକ ଷ୍ଟାର୍ଟଅପ୍ ଦେଇଛି ଯାହାକୁ ରାହୁଲ ଗାନ୍ଧୀ ନା ଲଞ୍ଚ କରୁଛନ୍ତି ନା ଲିଫ୍ଟ କରୁଛନ୍ତି । ଏହାସହିତ କଂଗ୍ରେସ ବ୍ରିଟିଶରାଜ ଦ୍ୱାରା ପ୍ରଭାବିତ ଓ ଏହି କାରଣରୁ ସାମ୍ରାଜ୍ୟବାଦ ସମୟର ଆଇନ କାନୁନ ହଟାଇବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଜବାହରଲାଲ ନେହେରୁ ମଧ୍ୟ ସଂରକ୍ଷଣ ବିରୋଧରେ ଥିଲେ । ଏହି କ୍ରମରେ ସେ ଏକ ନେହରୁଙ୍କ ଏକ ଚିଠି ବିଷୟରେ ଅବତାରଣା କରିଥିିଲେ ଯାହା ନେହରୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିଲେ ।

ମୋଦୀ କହିଛନ୍ତି , ଭାରତର ଅର୍ଥନୀତି କଂଗ୍ରେସ ସମୟରେ ଦ୍ୱାଦଶ ସ୍ଥାନରେ ଥିବା ବେଳେ ଏବେ ଏହା ୫ମ ସ୍ଥାନକୁ ଆସିପାରିଛି । ଏହାସହିତ କଂଗ୍ରେସ ହିଁ ଆମ ଦେଶର ବହୁ ଅଞ୍ଚଳକୁ ଶତ୍ରୁ ହାତକୁ ଟେକି ଦେଇଛି ବୋଲି ସେ କହିଛନ୍ତି । କଂଗ୍ରେସ ଦେଶକୁ ଉତ୍ତର ଓ ଦକ୍ଷିଣ ଦୁଇ ଭାଗ କରିବାକୁ ଚାହୁଁଛି ବୋଲି ମୋଦୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.