fbpx

ଓଲଟିଲା ଯାତ୍ରୀବାହୀ ବସ୍‌, ୯ ଆହତ

ସମ୍ବଲପୁର: ପୁଣି ଏକ ଯାତ୍ରୀବାହୀ ବସ ଦୁର୍ଘଟଣା । ସମ୍ବଲପୁର କଟକ ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିଲେ । ତେବେ ଏହି ବସରେ କେତେ ଜଣ ଯାତ୍ରୀ ଥିଲେ କିଛି ସ୍ପଷ୍ଟ ହୋଇନାହିଁ ।

ସୂଚନାରୁ ପ୍ରକାଶ ସୋମବାର ଭୋର ପ୍ରାୟ ୪:୩୦ ପାଖାପାଖି ଭୁବନେଶ୍ୱରରୁ ହୀରାକୁଦ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ‘ଶୁଭମ୍‌’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭାରସମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଚାରମାଳ ପୋଲିସ ଓ ରେଢ଼ାଖୋଲ ପୋଲିସ ଏସଡିପିଓ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଥିମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଡ୍ରାଇଭର ଜଣଙ୍କୁ ନିଦ ଆସିବାରୁ ଏହି ଦୁର୍ଘଟଣା ହୋଇଥିବା ପ୍ରକାଶ । କେତେବେଳେ କୁହୁଡ଼ି କାରଣରୁ ତ ପୁଣି କେତେବେଳେ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏପରି ବସ୍ ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ଏହା ସାଧାରଣ ଜନତାଙ୍କ ଜୀବନକୁ ବିପଦ ମୁହାଁ କରାଉଛି । ଏଭଳି ସ୍ଥିତି ଉପରେ ପ୍ରଶାସନ ଦୃଷ୍ଟି ଦେବା ଉଚିତ ।

Get real time updates directly on you device, subscribe now.