ପଶୁ ପ୍ରେମରେ ଉମା ନନା: ପଶୁପକ୍ଷୀଙ୍କ ଖାଇବା ବ୍ୟବସ୍ଥା କରନ୍ତୁ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ଉମାକାନ୍ତ ଶତପଥୀ । ତାଙ୍କ ଘର କୋରେଇ ନିର୍ବାଚନ ମଣ୍ଡଳୀର ମଥୁରାପୁର ଗ୍ରାମରେ । ଶ୍ରଦ୍ଧାରେ ସ୍ଥାନୀୟ ଲୋକେ ତାଙ୍କୁ ଉମା ପତି ଓରଫ ଉମା ନନା ବୋଲି ଡାକନ୍ତି । କାହାର କିଛି ଅସୁବିଧା ପଡିଲେ ଆଗ ଡାକରା ଉମା ନନା । ସେ ମଧ୍ୟ ଯଥା ସମ୍ଭବ ଅକୁଣ୍ଠ ଚିତ୍ତରେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାହାକୁ ମେଡିକାଲ ନେବା ହେଉ ଅବା କାହାର ସରକାରୀ ସାହାଯ୍ୟ ଦରକାର, କାହାର ପିଲା ପାଠ ପଢିବା ଅବା କାହାର ଖାଇବାକୁ ନାହିଁ ସମସ୍ତଙ୍କ ପାଖରେ ଦରକାର ବେଳେ ଠିଆ ହୁଅନ୍ତି ଏହି ନିଆରା ମଣିଷ ।

ମାଙ୍କଡ ମାନଙ୍କ ସହିତ ବସିଥିବାର ତଥା ତାଙ୍କୁ ବିସ୍କୁଟ ଖୋଉଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ଦୃଷ୍ଟିକୁ ଆସିଥିଲା । ଏପରି ଏକ ବିରଳ ଦୃଶ୍ୟ ଦେଖି ନିଜ ଗାଡି ଅଟକାଇ ଦେଇଥିଲେ ଆମ ପ୍ରତିନିଧି ଏବଂ ଉମା ନନାଙ୍କ ସହ କଥା ହୋଇଥିଲେ । କଥା ପ୍ରସଙ୍ଗରେ ଜାଣିବାକୁ ପାଇଲେ ଯେ ଏହା ହେଉଛି ତାଙ୍କର ନୀତିଦିନର କଥା । ଅସହାୟ ବନ୍ୟା ପ୍ରାଣୀମାନଙ୍କୁ ଖାଦ୍ୟ ଖୁଆଇ ଆତ୍ମତୃପ୍ତି ଲାଭ କରନ୍ତି ସେ । ସେ ଖାଲି ସମାଜସେବୀ ନୁହଁନ୍ତି ଜଣେ ପଶୁପ୍ରେମୀ ମଧ୍ୟ । ଜଙ୍ଗଲ କମିଯିବାରୁ ବନ୍ୟଜନ୍ତୁ ମାନେ ଜନବସତି ଆଡକୁ ଚାଲିଆସୁଛନ୍ତି । କେଉଁଟି ହାତୀ ଧାନ, ଆଖୁ, ମକା ଖେତ ନଷ୍ଟ କରୁଛନ୍ତି ତ କେଉଁଟି ମାଙ୍କଡ କଦଳୀବଗିଚା ନଷ୍ଟ କରୁଛନ୍ତି । ଏପରି କି ମନୁଷ୍ୟମାନଙ୍କୁ ଆକ୍ରମଣ କରିବା ଘର ଭାଙ୍ଗିଦେବା ପରି ଘଟଣା ଆଜିକାଲି ନିତିଦିନିଆ ହେଇଗଲାଣି । କିନ୍ତୁ ଏହି ବିଷୟରେ କାହାର ଧ୍ୟାନ ଯାଉନାହିଁ ବୋଲି ସେ କ୍ଷୋବ ପ୍ରକାଶ କରିଛନ୍ତି । ସରକାର ଏତେ ଯୋଜନା କରୁଛନ୍ତି ଅଥଚ ଏହି ବନ୍ୟଜନ୍ତୁ ମାନଙ୍କ ଖାଇବା ପାଇଁ କାହିଁକି କିଛି ଯୋଜନା କରୁନାହାନ୍ତି ବୋଲି ସେ ଆମ ପ୍ରତିନିଧିଙ୍କୁ ପ୍ରଶ୍ନ କରିଥିଲେ ।ଏସବୁ ଦେଖି ସ୍ଥାନୀୟ ଲୋକେ ଉମା ନନାଙ୍କୁ ସାଧୁବାଦ ଦେବା ସହିତ ସରକାର ତଥା ବିଶେଷଜ୍ଞ ମାନଙ୍କୁ ଏହି ନିରୀହ ବନ୍ୟଜନ୍ତୁ ମାନଙ୍କର ଖାଦ୍ୟ ସମସ୍ୟା ସମାଧାନ କରିବା ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଲେଖା ମାଧ୍ୟମରେ ନିବେଦନ କରିଛନ୍ତି ।