fbpx

ମାଗଣାରେ କାମ କରିବେ ପୱନ କଲ୍ୟାଣ: ଦରମା ପାଇଁ ମନା କରିଦେଲେ ସୁପରଷ୍ଟାର, କାହିଁକି?

Advertisement

ନୂଆଦିଲ୍ଲୀ: ସାଉଥ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପୱନ କଲ୍ୟାଣ ଏବେ ରାଜନୀତିରେ ବିଶିଷ୍ଟ ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆନ୍ଧପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପୱନ କଲ୍ୟାଣ । ତେବେ ଦାୟିତ୍ୱ ନେବାର କିଛି ଦିନ ପରେ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ମାସ ପ୍ରଥମ ଦିନରେ ରାଜ୍ୟର ହିତ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ଉପମୁଖ୍ୟମନ୍ତ୍ରୀ ଭାବରେ ସେ ନିଜ ଦରମା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସମ୍ପୂର୍ଣ୍ଣ ମାଗଣାରେ ଏହି ଦାୟିତ୍ୱକୁ ତୁଲାଇବା ପାଇଁ ସେ ସ୍ପଷ୍ଟ କରିଛନ୍ତି ।

ଜୁଲାଇ ୧ ତାରିଖରେ ଆନ୍ଧ୍ରପ୍ରଦେଶର ନୂଆ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ଖରାପ ଆର୍ଥିକ ସ୍ଥିତି ଯୋଗୁଁ ବେତନ ନେବା ପାଇଁ ମନା କରିଛନ୍ତି ପୱନ କଲ୍ୟାଣ । ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନିଜ ବେତନ ସହିତ କୌଣସି ନୂଆ ଫର୍ଣ୍ଣିଚର କିମ୍ବା ବିଶେଷ ଭତ୍ତା ନେବା ପାଇଁ ମଧ୍ୟ ମନା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ କ୍ୟାମ୍ପ କାର୍ଯ୍ୟାଳୟର ଅଧିକାରୀ ଅଫିସର ନବୀକରଣ ଏବଂ ନୂଆ ଫର୍ଣ୍ଣିଚର କିଣିବା ନେଇ ପ୍ରଶ୍ନ କରିଥିଲେ, କିନ୍ତୁ ସେ ଏହାକୁ ମନା କରି ଦେଇଛନ୍ତି । ତେବେ କିଛି ନୂଆ ଫର୍ଣ୍ଣିଚରର ଆବଶ୍ୟକତା ପଡ଼ିଲେ ନିଜ ଖର୍ଚ୍ଚରୁ ସେ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅଭିନେତାରୁ ରାଜନୀତିକୁ ପାଦ ଥାପିଥିବା ପୱନ କଲ୍ୟାଣ କହିଛନ୍ତି ଯେ, ସଚିବାଳୟର ଅଧିକାରୀ ସଦନରେ ୩ ଦିନର ଉପସ୍ଥିତିକୁ ୩୫ ହଜାର ଟଙ୍କା ବେତନ ସମ୍ବନ୍ଧୀୟ ଦସ୍ତାବିଜରେ ତାଙ୍କର ହସ୍ତାକ୍ଷର ନେବାକୁ ଆସିଥିଲେ । କିନ୍ତୁ ମୁଁ ସେମାନଙ୍କୁ ବେତନ ନେବା ପାଇଁ ମନା କରିଛି । ପଞ୍ଚାୟତ ରାଜ ବିଭାଗ ନିକଟରେ ପର୍ଯ୍ୟାପ୍ତ ଅର୍ଥର ଅଭାବ ରହିଛି । ତେଣୁ ନିଜ କାର୍ଯ୍ୟକାଳ ସମୟରେ କୌଣସି ବେତନ ଗ୍ରହଣ କରିବା ପାଇଁ ସେ ମନା କରିଛନ୍ତି । ତାଙ୍କ ବେତନର ସମସ୍ତ ଟଙ୍କା ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ସେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.