ଲିଙ୍ଗଗତ ବୈଷମ୍ୟ ଆଗ ନିଜ ଘରୁ ଆରମ୍ଭ କର: ପିସିସି ସଭାପତି ଭକ୍ତଚରଣ ଦାସ
ମହିଳା ନିର୍ଯାତନା ନ ରୋକିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ନାରୀ ନ୍ୟାୟବାହିନୀର ଜାତୀୟ ଆଲୋଚନାଚକ୍ରରେ ଆହ୍ବାନ
ଭୁବନେଶ୍ୱର: ସମସ୍ତେ ଲିଙ୍ଗଗତ ବୈଷମ୍ୟ କହୁଛନ୍ତି, ଅଥଚ ନିଜ ଘରେ ପାରିବାରିକ ହିଂସାର ଶିକାର ହେଉଛନ୍ତି ମହିଳା। ପ୍ରଥମେ ନିଜଘରେ ମା’ଭଉଣୀଙ୍କଠାରୁ ବାପାଭାଇଙ୍କ ଥିବା ଅଧିକ ଗୁରୁତ୍ବକୁ ଦୂର କରିବାକୁ ହେବ। ତେବେଯାଇ ପ୍ରକୃତ ମହିଳା ସଶକ୍ତୀକରଣ ସମ୍ଭବ ହେବ ବୋଲି ବୁଧବାର ଓଡେଶା ଭବନର ସମ୍ମେଳନ କକ୍ଷରେ ‘ନାରୀ ନ୍ୟାୟ ବାହିନୀ’ ପକ୍ଷରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।
ଦିଲ୍ଲୀ, ବିହାର ଓ ଝାଡ଼ଖଣ୍ଡରୁ ଆସିଥିବା ମହିଳା ଶିକ୍ଷାବିତ, ସାମାଜିକ କର୍ମୀ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟରତ ବହୁ ପ୍ରତିନିଧିଙ୍କ ଦ୍ବାରା ଦିବସବ୍ୟାପୀ ଦୁଇଟି ଅଧିବେଶନରେ ପ୍ରଦତ୍ତ ଭାଷଣରେ ଲିଙ୍ଗଗତ ବୈଷମ୍ୟ ଓ ମହିଳାଙ୍କ ପ୍ରତି ହିଂସା ସମ୍ପର୍କିତ ବହୁ ତଥ୍ୟ, ପରିସଂଖ୍ୟାନ ଓ ଅଙ୍ଗେନିଭା କାହାଣୀ ବର୍ଣ୍ଣନା ହୋଇଥିଲା। ନାରୀ ଅଧିକାର ଓ ସମାନତାର ବିବିଧ ମାପକାଠିରେ ଆମ ଦେଶ ବିଶେଷକରି ଓଡ଼ିଶା ବହୁତ ପଛୁଆ ଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା।
ମହିଳାଙ୍କ ଉପରେ ହେଉଥିବା ହିଂସାକାଣ୍ଡରେ ଆମ ରାଜ୍ୟରେ ଦଣ୍ଡବିଧାନର ହାର ଜାତୀୟ ହାରଠାରୁ ଢେର ତଳେ ଥିବା ପରିତାପର ବିଷୟ ଓ ଏ ଦିଗରେ ପଦକ୍ଷେପ ନେବାରେ ବିଜେପି ସରକାର ବିଫଳ ହୋଇଛନ୍ତି ବୋଲି ବକ୍ତାମାନେ କହିଥିଲେ। ମହିଳାମାନେ କିପରି ପ୍ରତି କ୍ଷେତ୍ରରେ ଲିଙ୍ଗଗତ ବୈଷମ୍ୟର ଶିକାର ହୁଅନ୍ତି, ନିଜ ଅଙ୍ଗେନିଭା କାହାଣୀ ସମେତ ସମାଜର ବିଭିନ୍ନ ବର୍ଗର ବହୁ ମହିଳାଙ୍କ ବେଦନାଦାୟକ -କାହାଣୀ ବଣ୍ଣନା କରିଥିଲେ।
ରାଜ୍ୟରେ ଗତ ୫ ବର୍ଷରେ ୬୫ ହଜାର ମହିଳା ଓ ଶିଶୁ ନିଖୋଜ ହେବା ଏକ ସାଂଘାତିକ କଥା ହୋଇଥିବା ବେଳେ ଏହି ପ୍ରସଙ୍ଗକୁ ସରକାର ଗୁରୁତ୍ବ ଦେଉନଥିବାରୁ ଆଗକୁ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଭକ୍ତଚରଣ ଦାସ ଆଗ ଘର ସଜାଡ଼ିଲେ ସମାଜକୁ ସଜାଡ଼ିବା ସହଜ ହେବ ବୋଲି ଆହ୍ବାନ ଦେଇଥିଲେ। ଏକାଧିକ ପୌରାଣିକ କାହାଣୀର ଉଦାହରଣ ଦେଇ ମହିଳାମାନେ ହିଁ ସମାଜରେ ସତ୍ୟ ପ୍ରତିଷ୍ଠା କରିପାରିବେ ବୋଲି କହିଥିଲେ। ଘରେ କନିଷ୍ଠ ମହିଳାମାନେ, ବୟସ୍କ ପୁରୁଷମାନଙ୍କୁ ସମ୍ମାନ ଜଣାଇବେ, କିନ୍ତୁ ପୁରୁଷମାନେ ଲିଙ୍ଗଗତ ଭେଦଭାବ କଲେ ସେମାନଙ୍କୁ ନମ୍ରତାର ସହ ମା’ଭଉଣୀମାନେ ବିରୋଧ କରିବାକୁ ହେବ।
ପ୍ରଥମେ ୧୦୦ ଜଣ ବିପ୍ଳବୀ ମହିଳାଙ୍କୁ ନେଇ ଏକ ଟିମ୍ ଗଠନ ହେବ। ଆଜି ସେଥିରୁ ୨୭ ଜଣଙ୍କ ନାମ ଘୋଷଣା କରାଯାଇଥିଲା। ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର ଓ ବାଲେଶ୍ବରରେ ଅନୁରୂପ ୫ ଗୋଟି ମହିଳା ସମାବେଶରୁ ଅବଶିଷ୍ଟ ମହିଳା ଚୟନ ହେବେ। ପରବର୍ତ୍ତୀ ସମୟରେ ଜିଲ୍ଲାୱାରୀ ଶହେ ଲେଖାଏଁ ବିପ୍ଳବୀ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।
“ନାରୀ ନ୍ୟାୟ ବାହିନୀ” ପକ୍ଷରୁ ପ୍ରଫେସର ଡ଼ ଗାୟତ୍ରୀ ବିଶ୍ଵାଳ ଙ୍କ ଆବାହକତ୍ବରେ ଆୟୋଜିତ ଓ ଝୁନା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, ବର୍ଷା ସିଂହ, ମିନାକ୍ଷୀ ସାକ୍ଷୀ ,ସୁପ୍ରିମ କୋର୍ଟ ଅଧିବକ୍ତା ଭୂମିକା ଯାଦବ, ଅଧିବକ୍ତା ବର୍ତ୍ତିକା, ଜେଏନ୍ୟୁର ପ୍ରଫେସର ଉଷା କେ.ବି., ଏଆଇଏସ୍ ରାଜ୍ୟ ନେତ୍ରୀ ଅଧିବକ୍ତା ସଂଘମିତ୍ରା ଜେନା, ସସ୍ମିତା ବେହେରା, ଅଧିବକ୍ତା ଜୟଶ୍ରୀ ପାତ୍ର, ସରିତା ଷଡ଼ଙ୍ଗୀ, ସୋନାଲୀ ସାହୁ, ଡ.ମନୀଷା ଦାସ ପଟ୍ଟନାୟକ, ବୀଣା ଗୁପ୍ତା, ତାରକେଶ୍ବରୀ ନେଗୀଙ୍କ ସମେତ ବହୁ ମହିଳା ଏହି ସମାବେଶରେ ଉଦ୍ବୋଧନ ଦେଇଥିଲେ।