fbpx
BSKY SKY
BSKY SKY

ଦିଲ୍ଲୀରୁ ଓଡ଼ିଶାକୁ ଡେଇଁଲାଣି ପେଗାସସ୍ ଛୁଙ୍କ! ଛାନିଆ ହେଲେଣି ନେତା, ଅଫିସର

BSKY

ନୂଆଦିଲ୍ଲୀ: ସଂପ୍ରତି ପେଗାସସକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ସଫ୍ଟୱେର ଫୋନ୍ ହ୍ୟାକ କରି ତଥ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ସାମନାକୁ ଆସିବା ପରଠାରୁ ଦେଶର ରାଜନେତା, ବ୍ୟୁରୋକ୍ରାଟ, ସାମ୍ବାଦିକଙ୍କ ପରି ବହୁ କ୍ଷମତାଶାଳୀ ଲୋକ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହାମଧ୍ୟରେ ଦିଲ୍ଲୀରୁ ପେଗାସସର ଛୁଙ୍କ ଆସି ଓଡ଼ିଶାରା ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ଯାଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଶୁଣାଯାଉଛି ଯେ, ରାଜ୍ୟର ମନ୍ତ୍ରୀ, ଅଫିସରଙ୍କ ଛଡ଼ା ବିଶିଷ୍ଟ ବ୍ୟକ୍ତିମାନେ ଏବେ ଆଉ ଫୋନ୍ ଧରୁନାହାନ୍ତି । ସେମାନେ ଏବେ ବିକଳ୍ପ ଭାବେ ପୁରୁଣା କଳାଧଳା ନୋକିଆ ସେଟକୁ ଖୋଜିବାରେ ଲାଗିଲେଣି ।

ତେବେ ଅଧିକାଂଶ ନେତା ନିଜ ନିଜର ଦଳ ବିଦ୍ରୋହୀ କାର୍ଯ୍ୟକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ରାଜ୍ୟର କିଛି ନେତା ଏ ଦଳରୁ ସେ ଦଳକୁ ସମୟ ସୁଯୋଗ ଦେଖି ଲମ୍ବା ଡିଆଁ ମାରିଥାନ୍ତି । ତେବେ ଶଙ୍ଖରୁ ପଦ୍ମ, ପଦ୍ମରୁ ହାତ, ହାତରୁ ଶଙ୍ଖ ଏଭରି ଗୋଲେଇ ଡିଆଁ ମାରିବା ପୂର୍ବରୁ ଯଦି ଧରାପଡ଼ିଯିବେ, ତେବେ ତିନି ପାଞ୍ଜିରୁ ଯିବା ସାର ହେବ । ଅନେକ ବ୍ୟକ୍ତି ନିଜର ଅନୈତିକ ସମ୍ପର୍କ, କଳାକାରନାମା, ଦଳ ବିରୋଧୀ କାର୍ଯ୍ୟ ନେଇ ଛାନିଆ ହୋଇପଡ଼ିଲେଣି । ଯଦି କିଏ ଜାଣିଯିବ, ତେବେ ବ୍ଲାକମେଲିଂ କରିବାର ସମ୍ଭାବନା ରହିଛି । ତେବେ ନେତାଙ୍କ ଛଡ଼ା ରାଜ୍ୟର ଅନେକ ପାୱାରଫୁଲ୍ ଅଫିସର ମଧ୍ୟ ଭୟ ମଧ୍ୟରେ କାଳାତିପାତ କରୁଥିବା ଜଣାପଡ଼ିଛି । ପୂର୍ବରୁ ଏଭଳି ବ୍ୟକ୍ତିମାନେ ହ୍ୱାଟସଆପ୍ କଲିଂକୁ ସୁରକ୍ଷିତ ମଣୁଥିବା ବେଳେ ଏବେ ତାହା କାମକୁ ନୁହେଁ ବୋଲି ସଭିଏଁ ଜାଣିସାରିଲେଣି ।

କୁହାଯାଉଛି ଯେ, ଏହି ସଫ୍ଟୱେର ସ୍ମାଟଫୋନକୁ ହ୍ୟାକ୍ କରି ଉକ୍ତ ବ୍ୟକ୍ତିଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିଥାଏ । ଏହାଛଡ଼ା ସମସ୍ତ ମେସେଜ୍, ଫୋନ୍, କଲ, ଚାଟିଂ, ଇମେଲ ମାଧ୍ୟମରେ ଫୋନ ଭିତରକୁ ଜବଦରସ୍ତ ପଶିଆସିଥାଏ । ଆପଣ ଅଜଣା ନମ୍ବର ରିସିଭ୍ ନକଲେ ମଧ୍ୟ ପେଗାସସ୍ ମିସଡ୍ କଲ୍ ମାଧ୍ୟମରେ ଫୋନ୍ ଭିତରକୁ ପଶି ହ୍ୟାକ୍ କରିଦେଇଥାଏ । ହ୍ୟାକର ଚାହିଁଲେ ଜଣେ ବ୍ୟକ୍ତି ଘର ଭିତରେ କ’ଣ କରୁଛି, ତା’ର ସମସ୍ତ ଗୁପ୍ତ ଡାଟା କଲେକ୍ଟ କରିପାରିଥାଏ । ବ୍ୟକ୍ତି ଜଣକ କୁଆଡ଼େ ଯାଉଛି, କାହା ସହ ମିଶୁଛି, କ’ଣ କଥା ହେଉଛି, ଏସବୁ ହ୍ୟାକର ପାଖରେ ଷ୍ଟୋର ହୋଇ ରହିଥାଏ । ତେବେ ଏତେସବୁ ବିପଦ ରହିଥିବାରୁ ନେତାମାନେ ନିଜର ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହ ଫୋନରେ ଆଉ କଥା ହେଉନାହାନ୍ତି । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିନା ପେଟ୍ରୋଲ ବାଲା ଧଡ଼ଧଡ଼ିଆ ସାଇକେଲ ଭଳି ବିନା ଇଣ୍ଟରନେଟ ବାଲା ପୁରୁଣା ନୋକିଆ ସେଟକୁ ଅନେକ ଆପଣାଇବାକୁ ଶ୍ରେୟସ୍କର ମଣୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.