fbpx

(Video) କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ପିଟିଲେ ଲୋକେ, କୋର୍ଟରେ ହାଜର ସମୟରେ ଚପଲ-ବିଧା ମାଡ଼

ନୂଆଦିଲ୍ଲୀ: ଉଦୟପୁରରେ କହ୍ନେୟାଲାଲ ହତ୍ୟାକାଣ୍ହରେ ଚାରି ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟ ୧୦ ଦିନିଆ ରିମାଣ୍ଡରେ ପଠାଇଛି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ଅଣାଯିବା ବେଳେ ଉତ୍ତେଜିତ ଜନତା ଅଭିଯୁକ୍ତ ଉପରେ ଆକ୍ରମଣ କରିଥିଲେ । ପୋଲିସ ଏବଂ କମାଣ୍ଡରଙ୍କ ଉପସ୍ଥିତିରେ ଲୋକମାନେ ସେମାନଙ୍କ ଚପଲ ଏବଂ ବିଧା ମାରିଥିଲେ । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ଦେଖାଯାଉଛି ଯେତେବେଳେ ସେମାନଙ୍କୁ ପୋଲିସ ଗାଡ଼ିରେ ବସାଯାଉଛି ସେତେବେଳେ ସେମାନଙ୍କ ପଛରେ ଛିଡ଼ା ହୋଇଥିବା ଲୋକେ ସେମାନଙ୍କୁ ପିଟିଥିଲେ । ବିଧା, ଚାପୁଡ଼ା ଏବଂ ଚପଲରେ ମଧ୍ୟ ମାରିଥିଲେ । ସେପଟେ ଉଦୟପୁର ଘଟଣାରେ କୋର୍ଟ ପରିସରରେ ଓକିଲମାନେ ନାରାବାଜି କରିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ୨୮ ଜୁନ୍ ରେ କହ୍ନେୟାଲାଲଙ୍କ ହତ୍ୟା ପରେ ରାଜ୍ୟ ସରକାର ଏସଆଇଟି ଟିମ୍ ଗଠନ କରି ଯାଞ୍ଚ ଆରମ୍ଭ କରିଥିଲେ, କିନ୍ତୁ ଅଭିଯୁକ୍ତଙ୍କ ସମ୍ପର୍କ ଅନ୍ୟ ଦେଶ ସହ ମଧ୍ୟ ଜଡ଼ିତ ଥିବା ନେଇ ଜଣାପଡ଼ିଥିଲେ ଯାହା ପରେ ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।

ସୂଚନା ଅନୂଯାୟୀ, ଜୁନ୍ ୨୮ ତାରିଖରେ ରିୟାଜ ଅଖତରୀ ଏବଂ ଗୌସ ମହମ୍ମଦ ନୂପୁର ଶର୍ମାଙ୍କ ସମର୍ଥନ କରିବା ପାଇଁ କହ୍ନେୟା ଲାଲଙ୍କୁ ତାଙ୍କ ଦୋକାନରେ ଛୁରୀ ମାରି ହତ୍ୟା କରିଥିଲେ । ଏହି ନୃଶଂସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ ଇସଲାମକୁ ଅପମାନର ବଦଲା ନେଉଛନ୍ତି । ଭିଡିଓରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧମକ ଦେଇଥିଲେ । ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.