fbpx

RBIକୁ ନୂଆ ପ୍ରସ୍ତାବ ଦେବ ଓଡ଼ିଶା ପୋଲିସ: ଏଣିକି ବିନା FIRରେ ଲୁଟ୍ ଅର୍ଥ ଫେରି ପାଇବେ ଗ୍ରାହକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ଯେତିକି ବହୁଛି ସାଇବର ଠକାମି ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ସାଇବର ଠକମାନେ ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ସାଇବର ଫ୍ରଡକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ସହିତ ସାଇବର ସେଲ ପ୍ରତିଷ୍ଠା କରିଛନ୍ତି । ତଥାପି ଗ୍ରାହକମାନେ ସାଇବର ଠକଙ୍କ ଶିକାର ହେଉଥିବା ଦେଖିବାକୁ ମିଳୁଛି ।

ଅଧିକାଂଶ କ୍ଷେତ୍ରରେ ପୋଲିସ ସାଇବର ଠକଙ୍କ ନିକଟରେ ପହଞ୍ଚିବା କାଠିକର କଥା ହୋଇଯାଉଛି । ତେଣୁ ସେମାନଙ୍କୁ ଧରିବା ଆହୁରି ମୁସ୍କିଲ ହୋଇପଡ଼ୁଛି । ଏପରି ମାମଲାରେ ପୋଲିସ ମାମଲା ଆଧାରରେ ଠକଙ୍କ ଆକାଉଣ୍ଟକୁ ବ୍ଲକ କରିବା ସହିତ ପୀଡ଼ିତଙ୍କ ଆକାଉଣ୍ଟକୁ ବ୍ଲକ କରୁଛି । ଏଥିସହିତ ଲୁଟ୍ ଅର୍ଥ ଫେରାଇ ଆଣିବାକୁ ଯଥାସମ୍ଭବ ପ୍ରୟାସ କରୁଛି । ତେବେ ଆକାଉଣ୍ଟରେ ଥିବା ଜମା ଟଙ୍କା ଉଠାଣ କ୍ଷେତ୍ରରେ ପୀଡ଼ିତମାନେ ଅଧିକାଂଶ କ୍ଷେତ୍ରରେ ହଇରାଣ ହେଉଥିବା ଦେଖାଯାଉଛି । ଛୋଟ ଛୋଟ ମାମଲାର ପଞ୍ଜିକରଣ ସମ୍ଭବପର ହେଉନଥିବା ବେଳେ ବ୍ୟାଙ୍କଗୁଡ଼ିକ ଏତଲାର ନକଲ ମାଗୁଛନ୍ତି । ଏହାଫଳରେ ପୀଡ଼ିତଙ୍କ ଆକାଉଣ୍ଟରେ ଥିବା ଜମା ଅର୍ଥ ଫେରସ୍ତ ହୋଇ ପାରୁନାହିଁ ।

ତେବେ ଏହି ଆଇନଗତ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ପୋଲିସ ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଯାଉଛି । ଖୁବଶୀଘ୍ର ରାଜ୍ୟ ପୋଲିସ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଏକ ପ୍ରସ୍ତାବ ଦେବ । ଆରବିଆଇ ପରିସରରେ ବାର୍ଷିକ ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ରାଜ୍ୟ ପୋଲିସ ଏହି ପ୍ରସଙ୍ଗ ଉଠାଇଥିଲା । ତେବେ ଅନଲାଇନ୍ ଆର୍ଥିକ ଠକେଇର ପ୍ରତ୍ୟେକ ଅଭିଯୋଗ ପାଇଁ ମାମଲା ପଞ୍ଜିକରଣ ସମ୍ଭବ ନୁହେଁ । ଟଙ୍କା ଫେରି ପାଇବା ବା ଆକାଉଣ୍ଟ ସଚଳ ହେବା ଲାଗି ଏକ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରିବା ଆବଶ୍ୟକ । ଦୁଇଟି ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେଉଥିବାରୁ ବ୍ୟାଙ୍କଗୁଡ଼ିକ ଟଙ୍କା ଫେରସ୍ତ ପାଇଁ ଏଫଆଇଆର କପି ଖୋଜିଥାନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ । ଏନେଇ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଉଥିବା ବେଳେ ତାହା ଆରବିଆଇକୁ ଦିଅଯିବ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତି ।

Get real time updates directly on you device, subscribe now.