fbpx

କରୋନା ପଜିଟିଭ ହୋଇଥିବା ଲୋକଙ୍କୁ ରହିଛି ଏହି ଗମ୍ଭୀର ରୋଗର ବିପଦ! ରିସର୍ଚ୍ଚରୁ ହେଲା ଖୁଲାସା

Advertisement

ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୧୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନାରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ । ପ୍ରାୟ ୨ ବର୍ଷରୁ କରୋନାର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତିଙ୍କୁ ଗତ ବର୍ଷ କୋଭିଡ ହୋଇଥିଲା ତାଙ୍କୁ କିଛି ଘାତକ ସ୍ୱାସ୍ଥ୍ୟଗତ ଅସୁବିଧା କିମ୍ବା ସାଇଡ ଇଫେକ୍ଟ ଦେଖାଦେଇପାରେ । ଏହି ସାଇଡ ଇଫେକ୍ଟ ମଧ୍ୟରେ କିଛି ଗମ୍ଭୀର ରୋଗ ମଧ୍ୟ ରହିଛି । ଯେଉଁଥିରେ ଟାଇପ୍-୨ ଡାଇବେଟିସ ମଧ୍ୟ ରହିଛି ।

କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଏଭଳି ଲକ୍ଷଣ ଦେଖାଦେଇଛି ଯାହାକୁ ଲଙ୍ଗ କୋଭିଡ କୁହାଯାଏ । ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଗମ୍ଭୀର ଲକ୍ଷଣ ଦେଖାଯାଇନାହିଁ କିନ୍ତୁ ଏକ ଅଧ୍ୟୟନ ଅନୁଯାୟୀ ଯେଉଁ ଲୋକଙ୍କୁ ଗତବର୍ଷ କୋଭିଡ ହୋଇଥିଲା ସେମାନଙ୍କୁ ଆଗାମୀ ୧୨ ମାସ ମଧ୍ୟରେ କିଛି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଏମିତିକି ଯେଉଁମାନେ କୋଭିଡ କାରଣରୁ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ସେମାନଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ ।

ନେଚର ମେଡିସିନ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କରୋନାର ଲଙ୍ଗ ଟର୍ମର ଲକ୍ଷଣ ହାର୍ଟ ଏବଂ ଭାସ୍କୁଲାର ସିଷ୍ଟମରେ ଦେଖାଯାଉଛି । ଯେଉଁଥିରେ କାର୍ଡିଆକ ଆରେଷ୍ଠ, ହାର୍ଟବିଟ୍ ସ୍ଲୋ ହେବା, ଷ୍ଟ୍ରୋକ୍, ଅନିୟମିତ ହାର୍ଟ ରେଟ୍, ରକ୍ତ ଜମାଟ ବାନ୍ଧିବା, ବ୍ଲଡ ଭେସେଲ ରୋଗ ଏବଂ ଫୁଲିବା ଭଳି ଲକ୍ଷଣ ରହିଛି । ଯାହାକୁ ଠିକ୍ ସମୟରେ ଚିକିତ୍ସା ନକରିବା ଦ୍ୱାରା ସ୍ଥିତି ଖରାପ ହୋଇପାରେ ।

ଅଧ୍ୟୟନରେ ଜଣାପଡ଼ିଥିଲା ଯେ ଯେଉଁ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିଲା ସେମାନଙ୍କୁ ମଧ୍ୟରେ ୧୨ ମାସରେ ହାର୍ଟ ଫେଲ ହେବାର ବିପଦ ୭୨ ପ୍ରତିଶତ ବଢ଼ିଥିଲା । ବିଶେଷଜ୍ଞ ଏହି ରିସର୍ଚ୍ଚ ପାଇଁ ୧ କୋଟି ୧୦ ଲକ୍ଷରୁ ଅଧିକ ଆମେରିକୀୟ ଲୋକଙ୍କୁ ନେଇଥିଲେ, ଯେଉଁଥିରେ ୧.୫୪ ଲକ୍ଷ ଲୋକ ଏମିତି ଥିଲେ ଯେଉଁମାନଙ୍କୁ କୋଭିଡ ହୋଇସାରିଥିଲା ।

ବିଶେଷଜ୍ଞ ଏହା ଜାଣିବାକୁ ପାଇଥିଲେ ଯେ ଯେଉଁ ଲୋକଙ୍କୁ ୧ ବର୍ଷ ପୂର୍ବରୁ କୋଭିଡ ହୋଇଥିଲା, ସେମାନଙ୍କ ଠାରେ କୋଭିଡ ହୋଇନଥିବା ଲୋକଙ୍କ ତୁଳନାରେ ଅଧିକ ବିପଦ ରହିଥିଲା । ଅବଶ୍ୟ ଏହି ଅଧ୍ୟୟନ ସେହି ଲୋକଙ୍କ ଉପରେ ହୋଇଥିଲା ଯେଉଁମାନଙ୍କୁ କୋଭିଡର ଗୋଟିଏ ବି ଟିକା ଦିଆଯାଇନଥିଲା । ଅଧ୍ୟୟନ ଅନୁଯାୟୀ ଏହି ଆଶଙ୍କା କେବଳ ସେହି ଲୋକଙ୍କ ଉପରେ ରହିଛି ଯେଉଁମାନଙ୍କୁ କୋଭଡ ହୋଇଥିଲା । ସେହିଭଳି ଯେଉଁମାନେ ଭାକ୍ସିନ ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଏହା ୨୦ ପ୍ରତିଶତ ରହିଥିଲା । ରିସର୍ଚ୍ଚ ଅନୁଯାୟୀ କରୋନାର ରିପୋର୍ଟ ପିଜିଟିଭ ଆସିବା ପରେ ୧୨ ମାସ ମଧ୍ୟରେ ଟାଇପ୍-୨ ଡାଇବେଟିସ ହେବାର ସମ୍ଭାବନା ୪୬ ପ୍ରତିଶତ ରହିଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ଭାକ୍ସିନ ହିଁ କରୋନା ବିରୋଧରେ ସବୁଠୁ ଭଲ ଉପାୟ । ହୋଇପାରେ ଭାକ୍ସିନ ନେବା ଦ୍ୱାରା ଏହି ସ୍ୱାସ୍ଥ୍ୟ ଜନିତ ବିପଦ କମ୍ ହୋଇପାରେ ।

Get real time updates directly on you device, subscribe now.