fbpx

ଘରୋଇ କ୍ରିକେଟରେ ଦେଖାଇଥିଲେ ଜଲୱା… ଭାରତୀୟ ଟିମ୍ ‘ଏ’ରେ ସାମିଲ ହୋଇପାରନ୍ତି ମୁଶୀର ଖାନ୍

ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ଶାନଦାର ପ୍ରଦର୍ଶନ ଜାରି ରଖିଥିବା ମୁଶୀର ଖାନଙ୍କ ଲଟେରୀ ଲାଗିପାରେ । ମୁଶୀର ଭାରତ ‘ଏ’ ଟିମ୍ ସହ ‘ଚାରି ଦିବସୀୟ’ ୩ଟି ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି । ରଣଜୀ ଟ୍ରଫିର ଗତ ସିଜିନର କ୍ୱାର୍ଟର ଫାଇନାଲରେ ମୁଶୀର ମୁମ୍ବାଇ ପାଇଁ ଶାନଦାର ବ୍ୟାଟିଂ କରି ୨୦୩ ରନ୍ କରିଥିଲେ । ସେହିପରି ଫାଇନାଲ ମ୍ୟାଚର ଦ୍ୱିତୀୟ ଇନିଂସରେ ସେ ୩୨୬ ବଲରେ ୧୩୬ ରନ୍ ସଂଗ୍ରହ କରିଥିଲେ । ତେଣୁ ଭାରତ ଟିମ୍ ‘ଏ’ରେ ସାମିଲ ହେବା ନେଇ ମୁଶୀରଙ୍କ ସମ୍ଭାବନା ରହିଛି ।

ପିଟିଆଇ ରିପୋର୍ଟ ଅନୁଯାୟୀ ରେଷ୍ଟ ଅଫ୍ ଇଣ୍ଡିଆ ଏବଂ ରଣଜୀ ଚମ୍ପିଆନ୍ସ ମୁମ୍ବାଇ ମଧ୍ୟରେ ଖେଳାଯିବାକୁ ଥିବା ଦୁଲୀପ ଟ୍ରଫି ଏବଂ ଇରାନୀ କପ୍ ମ୍ୟାଚରେ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଣ୍ଡିଆ ଟିମ୍ ‘ଏ’ର ଚୟନ କରାଯିବ । ତେବେ ଅଷ୍ଟ୍ରଲିଆ ଗସ୍ତ ପୂର୍ବରୁ ଏହି ମ୍ୟାଚ୍ ଖେଳାଯିବ । ଟେଷ୍ଟ ବିଶେଷଜ୍ଞ ଏବଂ ଦ୍ରୁତ ବୋଲରଙ୍କୁ ବାକି ଦଳ ପୂର୍ବରୁ ଅଷ୍ଟ୍ରେଲିଆ ପଠାଯାଇପାରେ ବୋଲି ଆଶା କରାଯାଉଛି । କହିରଖୁଛୁ ୧୯ ବର୍ଷୀୟ ମୁଶୀର ଖାନଙ୍କ ସହ ରାଜସ୍ଥାନ ବାମହାତୀ ସ୍ପିନର ମାନବ ସୁଥାରଙ୍କ ଦଳରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ । ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ପରେ ମାନବ ସୁଥାର ବାମହାତୀ ମଜବୁତ ସ୍ପିନର ଭାବେ ଉଭା ହୋଇଛନ୍ତି । ଅପରପକ୍ଷରେ ମୁଶୀରଙ୍କ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନାହିଁ । ରଣଜୀ ଟ୍ରଫି ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଏବଂ ଆକାଶଦୀପ, ଖଲୀଲ ଅହମଦ ଓ ଆୱେଶ୍ ଖାନ୍ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀଙ୍କ ବିପକ୍ଷରେ ବଡ଼ ସ୍କୋର କରି ମୁଶୀର ନିଜକୁ ପ୍ରମାଣିତ କରିଛନ୍ତି । ତାଙ୍କ ପାଖରେ ଲମ୍ବା ଇନିଂସ ଖେଳିବାର କ୍ଷମତା ରହିଛି । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଗସ୍ତକୁ ଯାଉଥିବା ଟିମ୍ ‘ଏ’ ପାଇଁ ତାଙ୍କୁ ଚୟନ କରାଯାଇପାରେ । କହିରଖୁଛୁ ମୁଶୀରଙ୍କ ଭାଇ ଶରଫରାଜ ଖାନଙ୍କୁ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜରେ ସୁଯୋଗ ମିଳିଛି । ଏହା ପୂର୍ବରୁ ସରଫରାଜଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇଥିଲା ।

Get real time updates directly on you device, subscribe now.