fbpx

ତାଜମହଲର ୨୨ଟି କୋଠରୀକୁ କାହିଁକି ବନ୍ଦ କରିଦିଆଗଲା, ପୁଣି ଥରେ ସେଗୁଡ଼ିକୁ ଖୋଲିବା ପାଇଁ ହାଇକୋର୍ଟରେ ଦାୟର ହେଲା ୟାଚିକା

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବାପୀ ମସଜିଦ, କାଶୀ ବିଶ୍ୱନାଥ ମନ୍ଦିର ବିବାଦ ପରେ ଆଗ୍ରାର ତାଜମହଲକୁ ନେଇ ପ୍ରଶ୍ନ ଉଠିଛି । ତାଜମହଲକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ୟାଚିକା ଦାୟର ହୋଇଛି । ତାଜମହଲର ୨୨ଟି କୋଠରୀ ଭିତରେ କ’ଣ ରହିଛି, ତାହା ଜାଣିବା ପାଇଁ ସେଗୁଡ଼ିକୁ ଖୋଲିବା ଦରକାର । ଏହାଦ୍ୱାରା ଉକ୍ତ କୋଠରୀଗୁଡ଼ିକ ଭିତରେ ଦେବାଦେବୀଙ୍କ ମୂର୍ତ୍ତି ଓ ଶିଳାଳେଖ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।

ସାଧାରଣ ଭାବେ ଫରାସୀ, ଭାରତୀୟ ଓ ଇସଲାମ୍ ବାସ୍ତୁକଳାର ଅପୂର୍ବ ନିଦର୍ଶନ ହେଉଛି ତାଜମହଲ, ଯାହାକୁ କି ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ମୁଗଲ ସମ୍ରାଟ ଶାହାଜାହାନ ନିଜ ପତ୍ନୀ ମୁମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯମୁନା ନଦୀ କୂଳରେ ତାହାକୁ ନିର୍ମାଣ କରିଥିବା କୁହାଯାଉଛି । ତାଜମହଲ ଦେଖିବାକୁ ଯେତିକି ସୁନ୍ଦର, ସେତିକି ବିବାଦ ଘେରରେ ମଧ୍ୟ ରହିଛି । ବିଜେପି ମିଡ଼ିଆ ପ୍ରଭାରୀ ରଜନୀଶ ସିଂହଙ୍କ ପକ୍ଷରୁ ତାଜମହଲକୁ ନେଇ ୟାଚିକା ଦାୟର ହେବା ପରେ ଏବେ ବିବାଦ ଘନେଇଛି ।

ଐତିହାସିକ ପିଏନ ଓକଙ୍କ ପୁସ୍ତକ ‘ଟ୍ରୁ ଷ୍ଟୋରି ଅଫ୍ ତାଜ’କୁ ନେଇ ତାଜମହଲ ବିବାଦର ସୂତ୍ରପାତ ହୋଇଥିଲା । ତାଜମହଲରେ ଶିବ ମନ୍ଦିର ରହିଥିବା ଉକ୍ତ ପୁସ୍ତକରେ ଦର୍ଶାଯାଇଥିଲା । ତେବେ ତାଜହମଲର ମୁଖ୍ୟ ସମାଧି ଓ ଚମେଲି ଚଟାଣର ତଳେ ୨୨ଟି କୋଠରୀ ନିର୍ମାଣ ହୋଇଥିଲା ଓ ତାହାକୁ ବନ୍ଦ କରି ଦିଆଯାଇଥିଲା ବୋଲି କିଛି ଐତିହାସିକ ମତ ଦେଇଥିଲେ । ଐତିହାସିକଙ୍କ ମତରେ, ଚମେଲି ଚଟାଣରୁ ଯମୁନା କୂଳ ଆଡ଼କୁ ବେସମେଣ୍ଟରେ ତଳେ ଯିବା ପାଇଁ ସିଡ଼ି ନିର୍ମିତ ହୋଇଛି । ଏହା ଉପରେ ଲୁହାର ଜାଲି ଲଗାଯାଇ ବନ୍ଦ କରି ଦିଆଯାଇଥିଲା । ପାଖାପାଖି ୪୫ ବର୍ଷ ପୂର୍ବରୁ ଉକ୍ତ ସିଡ଼ି ମାଧ୍ୟରେ ତଳକୁ ଯିବାର ରାସ୍ତା ଖୋଲିଥିଲା । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ୨୨ଟି କୋଠରୀକୁ ଖୋଲିବାକୁ ପାଇଁ ୟାଚିକା ଦାୟର ହୋଇଛି ।

Get real time updates directly on you device, subscribe now.