fbpx

ଏଲ୍‌ପିଜି ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦାମ୍‌, ଜାଣନ୍ତୁ କେତେ କମିବ ଓ କେବେ ହେବ ଘୋଷଣା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତର ଜନତା ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଆଗାମୀ କିଛି ମାସ ଭିତରେ ବହୁ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ଗତ କିଛିଦିନ ତଳେ ଅଚାନକ ଏଲପିଜିର ଦାମ୍ ହ୍ରାସ କରିଦିଆଯାଇଥିଲା । ଏବେ ଜନତା ପେଟ୍ରୋଲ ଓ ଡିଜେଲ ଦାମ୍ ହ୍ରାସ କରାଯିବା ନେଇ ଆଶାବାଦୀ ଅଛନ୍ତି ।

ଯଦିଓ ପେଟ୍ରୋଲ ଡିଜେଲ ମୂଲ୍ୟ ହ୍ରାସ ସଂପର୍କରେ ସରକାର କୌଣସି ସ୍ପଷ୍ଟ ସଂକେତ ଦେଇନାହାନ୍ତି ତେବେ ଘରୋଇ ବ୍ରୋକରେଜ୍ ଫାର୍ମ ଜେ.ଏମ୍ ଫାଇନାନ୍ସିଆଲ ଅନୁମାନ କରିଛି କି ଦିୱାଲୀ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପ୍ରତି ୩ରୁ ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯିବ । ଯଦି ଏପରି ହେବ ତେବେ ଜନତାଙ୍କୁ ବହୁତ ଆଶ୍ୱସ୍ତି ମିଳିବା ସହିତ ଦରଦାମ ଆହୁରି ହ୍ରାସ ପାଇବ ।

ନଭେମ୍ବର ଓ ଡିସେମ୍ବରରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହାବ୍ୟତିତ ଆଗାମୀ ବର୍ଷ ଲୋକସଭା ନିର୍ବାଚନ ବି ହେବ । ଏପରି ସ୍ଥିତିରେ ସରକାରଙ୍କର ଆଶଙ୍କା ରହିଛି ଯେ, ଦରଦାମ ବୃଦ୍ଧି ତାଙ୍କ ପାଇଁ ଏକ ବଡ ପ୍ରସଙ୍ଗ ପାଲଟି ଯାଇପାରେ । ଏଣୁ ପାର୍ବଣ ଋତୁ ସମୟରେ ପେଟ୍ରୋଲ ଡିଜେଲ ଦାମ୍ ହ୍ରାସ ହୋଇପାରେ ବୋଲି ବ୍ରୋକରେଜ୍ ଫାର୍ମ ଜେ.ଏମ୍ ଫାଇନାନ୍ସିଆଲ ଅନୁମାନ ଲଗାଇଛି ।

ଏହି ଫାର୍ମର କହିବା ଅନୁଯାୟୀ ସରକାର ପେଟ୍ରୋଲ ଡିଜେଲ ଉପରେ ଆମଦାନୀ ଶୁଳ୍କ କିମ୍ବା ଭାଟ୍ ହ୍ରାସ କରି ଦର କମାଇବେ । ତେବେ ଏହାଦ୍ୱାରା ସରକାରଙ୍କ ରାଜସ୍ୱ ଉପରେ ବୋଝ ପଡିବ କାରଣ ଅଶୋଧିତ ତେଲର ଦାମ୍ ପ୍ରାୟ ୧୦ ମାସ ହେବ ଉଚ୍ଚତମ ସ୍ତରରେ ରହିଛି । ଏହାର କାରଣ ରୁଷ ଓ ସାଉଦୀ ଆରବ ବର୍ଷର ଶେଷ ସୁଦ୍ଧା ତୈଳ ଉତ୍ପାଦନ ହ୍ରାସ କରିବେ । ଏବେ ଅଶୋଧିତ ତେଲର ଦାମ୍ ବ୍ୟାରେଲ ପ୍ରତି ୯୦ ଡଲାର ରହିଛି ।

Get real time updates directly on you device, subscribe now.