Breaking: ବଡ଼ ଧରଣର ସଡ଼କ ଦୁର୍ଘଟଣା… ଖାଇକୁ ଖସିଲା ଯାତ୍ରୀବାହୀ ଜିପ୍, 8ଜଣଙ୍କ ମୃତ୍ୟୁ

ଖାଇକୁ ଜିପ୍ ଖସି ଚାଲିଗଲା 8ଯାତ୍ରୀଙ୍କ ଜୀବନ ।

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ମୁୱାନିରୁ ବକ୍ତା ଯାଉଥିବା ଏକ ଟ୍ୟାକ୍ସି ନିୟନ୍ତ୍ରଣ ହରାଇ ୧୫୦ ମିଟର ଗଭୀର ଖାଇକୁ ଖସି ପଡ଼ିଲା।

ସୋନି ସେତୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଟ୍ୟାକ୍ସିରେ ମୋଟ ୧୩ ଜଣ ଥିଲେ । ସେମାନଙ୍କ ମଧ୍ୟରୁ 8 ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପିଥୋରାଗଡ଼ ଜିଲ୍ଲା ପୋଲିସ, ପ୍ରଶାସନର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଖାଇରୁ ବାହାର କରି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଉଛି ।

ତେବେ କେଉଁ କାରଣରୁ ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଟ୍ୟାକ୍ସି ନିୟନ୍ତ୍ରଣ ବାହାରକୁ ଯାଇ ଖସିଯାଇଥିଲା।

କିପରି ହେଲା ଦୁର୍ଘଟଣା- ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୫୨ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ୟାକ୍ସିଟି ଖାତକୁ ଖସିପଡ଼ିବା ମାତ୍ରେ ବହୁତ ଚିତ୍କାର ହୋଇଥିଲା। ଦୁର୍ଘଟଣାରେ 8 ଜଣ ପ୍ରାଣ ହରାଇଛନ୍ତି । ସେହି ସମୟରେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ମୁଖ୍ୟମନ୍ତ୍ରୀ ଧାମିଙ୍କ ଦୁଃଖ ପ୍ରକାଶ- ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ପିଥୋରାଗଡ଼ ଜିଲ୍ଲାର ମୁୱାନି ଅଞ୍ଚଳରେ ଗାଡ଼ି ଦୁର୍ଘଟଣା ସମ୍ପର୍କରେ ଅତ୍ୟନ୍ତ ଦୁଃଖଦ ଖବର ମିଳିଛି । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପାର ଯନ୍ତ୍ରଣା ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।