ଯୁକ୍ତ ୩ ପାଇଁ ସ୍ପଟ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(ଓଡିଶା ଭାସ୍କର): ଯୁକ୍ତ ୩ ଦ୍ଵିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଖାଲିଥିବା ସିଟ୍‌ ସମ୍ବନ୍ଧରେ ଅକ୍ଟୋବର ୪ରୁ ୬ ମଧ୍ୟରେ ତଥ୍ୟ ଯାଞ୍ଚ କରାଯିବ। ୮ ତାରିଖ ଅପରାହ୍ଣ ୫ଟାରେ ଖାଲି ଥିବା ଆସନ(ସିଟ୍‌)ର ଚୂଡ଼ାନ୍ତ ତାଲିକା ସାମ୍ସ ୱେବସାଇଟ୍‌, ଶିକ୍ଷାନୁଷ୍ଠାନର ଇ‌-ସ୍ପେସ୍‌ରେ ତଥ୍ୟ ଦାଖଲ ସହ ଶିକ୍ଷାନୁଷ୍ଠାନ ନୋଟିସ୍‌ ବୋର୍ଡରେ ତଥ୍ୟ ପ୍ରଦର୍ଶିତ ହେବ। ୧୦୨୨ ମହାବିଦ୍ୟାଳୟର କଳା,ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୧ ଲକ୍ଷ ୩ ହଜାର ୧୦୫ ଆସନ ଖାଲି ରହିଛି ।

ସେହିପରି ଆସନ୍ତା ୯ରୁ ୧୭ ତାରିଖ ପର୍ୟ୍ୟନ୍ତ ଯୋଗ୍ୟ ପ୍ରାର୍ଥୀ ତଥା ଗତ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ମଧ୍ୟରେ ପ୍ରଥମ ପର୍ୟ୍ୟାୟରେ ନାମ ପଞ୍ଜୀକରଣ କରିଥିବା ଓ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦାଖଲ କରିଥିବା ପ୍ରାର୍ଥୀଙ୍କୁ ହିଁ ସ୍ପଟ୍‌ ନାମଲେଖା ପାଇଁ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ନିଜର ପୂର୍ବ ୟୁଜରନେମ୍‌ ଓ ପାସୱାର୍ଡ ଦେଇ ଆଗ୍ରହୀ ଶିକ୍ଷାନୁଷ୍ଠାନ ଓ ବିଷୟ ସମ୍ବନ୍ଧରେ ଉଲ୍ଲେଖ କରିପାରିବେ। ଅତିବେଶିରେ ଜଣେ ବିଦ୍ୟାର୍ଥୀ ୫ଟି ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ। ଏହି ନାମଲେଖାରେ ବିଦ୍ୟାର୍ଥୀଙ୍କ ମାର୍କ ଆଧାରରେ ମନୋନୟନ କରାଯିବ। ଅକ୍ଟୋବର ୧୬, ୧୮, ୧୯, ୨୦ ଓ ୨୧ ତାରିଖରେ ପ୍ରାର୍ଥୀଙ୍କୁ ହାତଲେଖା ଆବେଦନପତ୍ର ସହ ନିଜସ୍ବ ଦସ୍ତଖତ ଥିବା ମାର୍କସିଟ୍‌ ସହ ଆବଶ୍ୟକ କାଗଜପତ୍ର ଦେଇ ଆବେଦନ କରିବେ। ୨୩ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ମେଧା ତାଲିକା ଶିକ୍ଷାନୁଷ୍ଠାନ ନୋଟିସ୍‌ ବୋର୍ଡରେ ପ୍ରକାଶ ପାଇବ।

ଯଦି କୌଣସି ପ୍ରାର୍ଥୀ ଏକାଧିକ ସୁଯୋଗ/ମନୋନୟନ ପାଇଥିବେ ସେଥିମଧ୍ୟରୁ ଗୋଟିଏକୁ ୨୪ରୁ ୨୭ ତାରିଖ ମଧ୍ୟରେ ବାଛିବେ । ୨୪ରୁ ୨୭ ତାରିଖ ମଧ୍ୟରେ ପ୍ରାର୍ଥୀ ଅନ୍‌ଲାଇନ୍‌ (ସଞ୍ଚାର ଜରିଆରେ) ଦେୟ ଦାଖଲ କରିବେ । ଅକ୍ଟୋବର ୨୭ ଓ ୨୮ ତାରିଖରେ କାଗଜପତ୍ର ଯାଞ୍ଚ କରାଯିବା ସହ ନାମଲେଖା ଅନୁଷ୍ଠିତ ହେବ।