fbpx

ବିଶ୍ୱର ସବୁଠୁ ଦୀର୍ଘ ବାଇ-ଲେନ୍ ଟନେଲ୍ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ , ଜାଣନ୍ତୁ ମୋଦୀଙ୍କ ଅରୁଣାଚଳ ଗସ୍ତର ମୁଖ୍ୟ ୧୦ ପଏଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଉଇକ୍‌ଏଣ୍ଡ ଯାତ୍ରା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀ ସହ ଆରମ୍ଭ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆଜି ଅରୁଣାଚଳପ୍ରଦେଶରେ ବିଶ୍ୱର ସବୁଠୁ ଦୀର୍ଘ ବାଇ-ଲେନ୍ ଟନେଲ୍ (ସେଲା ସୁଡଙ୍ଗ) ଉଦଘାଟନ କରିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ଆସାମରେ ପହଞ୍ଚିଥିଲେ ଓ ଆଜିି ସକାଳେ ମୋଦୀ କାଜିରଙ୍ଗା ଜାତୀୟ ଉଦ୍ୟାନ ସହିତ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ଜଙ୍ଗଲ ସଫାରୀରେ ବାହାରିଥିଲେ । ପ୍ରଥମେ ସେ ପାର୍କର କେନ୍ଦ୍ର କୋହୋରା ରେଞ୍ଜରେ ହାତୀ ସଫାରୀରେ ବାହାରିଥିଲେ । ଏହାପରେ ସେ ବନ୍ୟ ଅଧିକାରୀଙ୍କ ସହ ସେହି ରେଞ୍ଜରେ ଜିପ୍ ସଫାରୀ କରିଥିଲେ ।
ଏହି ଜଙ୍ଗଲ ସଫାରୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନଲାଇନ୍ ପୋଷ୍ଟ କରି କହିଛନ୍ତି, ଆଜି ସକାଳେ ମୁଁ କାଜିରଙ୍ଗା ଜାତୀୟ ଉଦ୍ୟାନର ସବୁଜିମାରେ ବଶୀଭୂତ ହୋଇପଡିଥିଲି । ୟୁନେସ୍କୋର ଏହି ବିଶ୍ୱ ଐତିହ୍ୟ ବିଭିନ୍ନ ପ୍ରଜାତିର ଜୀବ ଜନ୍ତୁ ଓ ଉଦ୍ଭିଦଙ୍କୁ ନେଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । ବିଶେଷକରି ଗୋଟିଏ ଶିଙ୍ଗ ଥିବା ଗଣ୍ଡା ଏଠିକାର ମୁଖ୍ୟ ଆକର୍ଷଣ ପାଲିଟିଛି ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳପ୍ରଦେଶ ଇଟାନଗରରେ ‘ବିକଶିତ ଭାରତ , ବିକଶିତ ଉତ୍ତରପୂର୍ବାଞ୍ଚଳ’ ଯୋଜନାରେ ବିଶ୍ୱର ଦୁଇ ଲେନ୍ ବିଶିଷ୍ଟ ବୃହତ୍ ‘ସେଲା’ ସୁଡଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ଏହି ସେଲା ଟନେଲ୍ ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୩,୦୦୦ ଫୁଟ ଉଚ୍ଚତାରେ ନିର୍ମିତ ଏହା ସବୁଠାରୁ ଦୀର୍ଘ ଟନେଲ । ଏହି ଟନେଲ ଅରୁଣାଚଳ ପ୍ରଦେଶର ପଶ୍ଚିିମ କାମିଙ୍ଗ ଓ ତାୱଂ ଜିଲ୍ଲାକୁ ସଂଯୋଗ କରିବ । ଏହା ସବୁ ପାଗ ପାଇଁ ମଧ୍ୟ ଅନୁକୂଳ ଯାତାୟତର ମାଧ୍ୟମ ହୋଇପାରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କଂଗ୍ରେସ ସର୍ବଦା ଏହି ସୀମାନ୍ତ ଅଞ୍ଚଳକୁ ଅଣଦେଖା କରିଆସିଛି । କିନ୍ତୁ ମୁଁ କଥା ଦେଉଛି ମୁଁ ମୋର ତୃତୀୟ ପାଳିରେ ନିଶ୍ଚୟ ପୁଣି ଏଠାକୁ ଆସିବି ଓ ବିକାଶ କାର୍ଯ୍ୟକ୍ରମ ଆହୁରି ଆଗକୁ ନେବି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟିର UNNATI ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହାସହିତ ୫୫,୬୦୦ କୋଟି ମୂଲ୍ୟର ବିଭିନ୍ନ ପ୍ରୋଜେକ୍ଟ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଅରୁଣାଚଳପ୍ରଦେଶ ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ଜୋରହାଟ ଠାରେ ପ୍ରଧାନମନ୍ତ୍ରୀ ୧୨୫ ଫୁଟ ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ୍ ଭାଲୋର’ର ଉଦଘାଟନ କରିଛନ୍ତି । ଏହି ବୃହତ ଷ୍ଟାଚ୍ୟୁ କିମ୍ବଦନ୍ତୀ ପୁରୁଷ ଅହୋମ ଜେନେରାଲ ଲଛିତ୍ ବାରଫୁକାନଙ୍କ ସ୍ମୃତିରେ ନିର୍ମିତ ।

ପ୍ରଧାନମନ୍ତ୍ରୀ ଅରୁଣାଚଳପ୍ରଦେଶରୁ ପଶ୍ଚିିମବଙ୍ଗର ସିଲିଗୁଡି ଯାତ୍ରା କରିବେ ଓ ଏଠାରେ ସେ ଏକ ଜନସଭାରେ ସମ୍ବୋଧନ କରିବେ । ଏଠାରେ ମଧ୍ୟ ୪,୫୦୦କୋଟି ଟଙ୍କାର ପ୍ରୋଜେକ୍ଟ ଉତ୍ସର୍ଗ କରିବେ । ଏହାପରେ ସେ ସନ୍ଧ୍ୟା ୭ଟାରେ ବାରଣାସୀରେ ପହଞ୍ଚି କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏଠାରେ ମଧ୍ୟ ସେ ଏକ ପବ୍ଲିକ୍ ପ୍ରୋଗ୍ରାମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.