ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ଦେବେ ୧୯ ହଜାର କୋଟିର ପ୍ରକଳ୍ପ ଭେଟି, ବିଜେପି ସରକାରଙ୍କ ଏକବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଆଧାରଶିଳା ସ୍ଥାପନ କରିବା ସହ କେତେକ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପକୁ ଲୋକଙ୍କୁ ଉଦ୍‌ଘାଟନ କରିବେ। ଏହା ସହିତ ସେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ, ଯାହା ରାଜ୍ୟବାସୀଙ୍କ ଜୀବନଧାରଣ ମାନ ଉନ୍ନତ କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ଅର୍ଥନୈତିକ ବିକାଶ, ନିଯୁକ୍ତି ସୁଯୋଗ ଏବଂ ଭିତ୍ତିଭୂମି ଉନ୍ନୟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷର କାର୍ଯ୍ୟକାଳରେ ହାସଲ ହୋଇଥିବା ଉପଲବ୍ଧିଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାବାସୀଙ୍କ ଆସ୍ଥା ଅର୍ଜନ କରିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଶ୍ୱାସ କରାଯାଉଛି।

ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଅର୍ଥନୀତିକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ସହ ରାଜ୍ୟର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ। ସାମାଜିକ ଗଣମାଧ୍ୟମରେ ଏହି ଘୋଷଣାକୁ ନେଇ ବ୍ୟାପକ ଉତ୍ସାହ ଦେଖାଦେଇଛି, ଯେଉଁଥିରେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କ ଏହି ପବକୁ ରାଜ୍ୟର ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରୁଛନ୍ତ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ସ‍ତ ଓଡ଼ିଶାରେ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏହା ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମଞ୍ଜସ୍ୟପୂର୍ଣ ସହଯୋଗକୁ ଆହୁରି ମଜବୁତ କରିବା ସହ ଓଡ଼ିଶାକୁ ବିକାଶର ନୂଆ ଦିଗରେ ଆଗେଇ ନେବ ବୋଲି ଆଶା କରାଯାଉଛି।