fbpx

ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ: ଜାଣନ୍ତୁ, ମନ୍ଦିରର ବିଶେଷତା

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ୍ (UAE) ଭଳି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଆଉ ବିଶେଷକରି ବିଦେଶ ମାଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହେଉଥିବାରୁ ତାହା ଚର୍ଚ୍ଚାକୁ ଅଧିକ ବଢ଼ାଇଛି। ତେବେ ଉଦଘାଟନ ହେବାକୁ ଥିବା ଏହି ହିନ୍ଦୁ ମନ୍ଦିର ବିଶେଷତା ଉପରେ ଆପଣଙ୍କୁ କିଛି ଜଣା ଅଛି କି? ଆସନ୍ତୁ, ଜାଣିବା ଏହି ମନ୍ଦିରର ବିଶେଷତା…

ୟୁନାଇଟେଡ୍ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରତିଷ୍ଠା ହେବ ଏହି ପ୍ରଥମ ପାରମ୍ପାରିକ ହିନ୍ଦୁ ମନ୍ଦିର। ଆବୁଧାବିରେ ପ୍ରଥମ BAPS(ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା) ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶାଳ ହିନ୍ଦୁ ମନ୍ଦିର ପ୍ରାୟ ୨୭ ଏକର ଜମିରେ ତିଆରି ହୋଇଛି । ଦୁବାଇ-ଆବୁଧାବି ଶେଖ ଜାୟେଦ ଜାତୀୟ ରାଜପଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ସରକାର ଏହି ମନ୍ଦିର ପାଇଁ ଜମି ଦାନ କରିଥିବା ବେଳେ ୨୦୧୯ ମସିହାରୁ ଆରମ୍ଭ ହୋଇଥିଲା ମନ୍ଦିର ନିର୍ମାଣ କାର୍ଯ୍ୟ।

୨୦୧୮ରେ ସ୍ଥାପନ ହୋଇଥିଲା ଭିତ୍ତିପ୍ରସ୍ତର: ଆବୁଧାବିରେ ତିଆରି ହୋଇଥିବା ଏହି ମନ୍ଦିର ମାର୍ବଲ ଏବଂ ବାଲୁକା ପଥରରେ ତିଆରି ହୋଇଛି । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ କରି ଦୁବାଇ-ଆବୁଧାବି ରାଜପଥରେ ମନ୍ଦିର ପ୍ରକଳ୍ପ ପାଇଁ ୧୭ ଏକରରୁ ଅଧିକ ଜମି ଆବଣ୍ଟ କରିଥିଲେ । ଏହାପରେ ୨୦୧୮ ମସିହାରେ ମନ୍ଦିରର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

କେତେ ଟଙ୍କାରେ ତିଆରି ହୋଇଛି ମନ୍ଦିର: ପ୍ରାୟ ୭୦୦କୋଟି ଟଙ୍କା ବ୍ୟୟରେ ଆବୁଧାବିରେ ତିଆରି ହୋଇଛି ଏହି ହିନ୍ଦୁ ମନ୍ଦିର । ୟୁଏଇରେ ଏହା ସବୁଠାରୁ ବଡ ମନ୍ଦିର । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ବେଳେ ୨୦୨୨ ମସିହାରେ ମନ୍ଦିର କାର୍ଯ୍ୟ ସମାପ୍ତ ହେବା ନେଇ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ମନ୍ଦିର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟସ୍ (UAE) କୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା UAEକୁ ତାଙ୍କର ୭ମ ଯାତ୍ରା ହେବ। ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ UAE ର ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ ଓ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ।

 

Get real time updates directly on you device, subscribe now.