ଆଜି ହ୍ୟାଣ୍ଡଲୁମ୍‍ ଦିବସ: ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ୩ହଜାର ହସ୍ତତନ୍ତ କାରିଗର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀ କାରିଗର ଏବଂ କଳାକାରମାନଙ୍କୁ ସର୍ବଦା ଉତ୍ସାହିତ କରିବା ସହ ନୀତିଗତ ସମର୍ଥନ ପ୍ରଦାନ କରିଆସିଛନ୍ତି । ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀକୁ ବଞ୍ଚାଇ ରଖିଛନ୍ତି । କେନ୍ଦ୍ର ସରକାର ୨୦୧୫ ମସିହାଠାରୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରି ଆସୁଛନ୍ତି । ୧୯୦୫ ମସିହା ଅଗଷ୍ଟ ୭ ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ ରଖିବା ପାଇଁ ଏହି ଦିବସକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ” ର ଇ-ପୋର୍ଟାଲ ମଧ୍ୟ ଉନ୍ମୋଚନ କରିବେ ଯାହାକି ହସ୍ତତନ୍ତ ଓ କାରିଗରୀର ଏକ ଭଣ୍ଡାର। ଏହାକୁ ଜାତୀୟ ଫ୍ୟାଶନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ (ଏନଆଇଏଫଟି) ଦ୍ୱାରା ବିକଶିତ କରାଯାଇଛି।