ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀରେ ହେଉଥିବା ଜି୭ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ବିଶ୍ୱର ଅନେକ ତୁଙ୍ଗ ନେତାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଅନ୍ୟ ଦେଶର ନେତାଙକ ସହ ବନ୍ଧୁତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଯେତେବେଳେ ବିଦେଶକୁ ଯାଇଥାନ୍ତି, ନିଜ ସାଥିରେ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଗିଫ୍ଟ ନିଶ୍ଚୟ ନେଇଥାନ୍ତି । ଆଉ ପୁଣି ଜି୭ ସମ୍ମିଳନୀରେ ଖାଲି ହାତରେ ପୁଣି ଯାଇଥାନ୍ତେ କିପରି? ଏଠାରେ ମଧ୍ୟ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ପାଇଁ ଗିଫ୍ଟ ଦେଇଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କେଉଁ ଦେଶର ମୁଖ୍ୟ କେଉଁ ଗିଫ୍ଟ ଦେଇଛନ୍ତି ।
ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ପ୍ରସିଦ୍ଧ କଳା ମାଟିରେ ତିଆରି ବାସନର ଉପହାର ଦେଇଛନ୍ତି। ଉତ୍ତରପ୍ରଦେଶର ଆଜାମଗଡ ଜିଲ୍ଲାର ନିଜାମାବାଦ ସହରରେ ମୋଗଲ ସମୟରୁ କଳା ମାଟିର ଏପରି ବାସନ ତିଆରି କରାଯାଏ ।
ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ପିଏମ ମୋଦୀ ଡୋକ୍ରା କଳାକୃତିରେ ନିର୍ମିତ ଏକ ଗିଫ୍ଟ ଦେଇଥିଲେ । ଛତିଶଗଡର ଏହି ବିଶେଷ କଳାକୃତି ରାମାୟଣର ବିଷୟବସ୍ତୁ ଉପରେ ଆଧାରିତ । ଚିତ୍ରକଳାର ମୁଖ୍ୟ ଚରିତ୍ରଗୁଡ଼ିକ ହେଉଛନ୍ତି ପ୍ରଭୁ ରାମ ଯିଏ ଲକ୍ଷ୍ମଣ, ଦେବୀ ସୀତା ଏବଂ ପ୍ରଭୁ ହନୁମାନଙ୍କ ସହିତ ଏକ ହାତୀ ଉପରେ ବସିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କୁ ଛତିଶଗଡର ଡୋକ୍ରା କଳାକୃତିରେ ନିର୍ମିତ ଏକ ନନ୍ଦୀ ପ୍ରତିମୂର୍ତ୍ତି ଉପହାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ବନ୍ଧୁ ଜୋ ବାଇଡେନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ରୋଚ ଏବଂ କଫଲିଙ୍କ ଉପହାର ଦେଇଥିଲେ । ବାଇଡେନଙ୍କୁ ବାରଣାସୀ ଗୋଲାପୀ ମୀନାକାରୀ ବ୍ରୋଚ ଏବଂ କଫଲିଙ୍କ ଉପହାର କରିଛନ୍ତି ।
ଲକ୍ଷ୍ନୌର ସ୍ୱତନ୍ତ୍ର ଜରଦୋଜି ବାକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସୁଗନ୍ଧିତ ଅତର ଉପହାର ଦେଇଛନ୍ତି। ଫ୍ରାନ୍ସ ଜାତୀୟ ପତାକା ରଙ୍ଗରେ ଖଦି ରେଶମ ସହିତ ଜଦୋଜି ବାକ୍ସଟି ହାତରେ ସଜାଯାଇଥିଲା ।
ପିଏମ ମୋଦୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଏକ ହାତରେ ଚିତ୍ରିତ ଚା ସେଟ୍ ଉପହାର ଦେଇଛନ୍ତି। ଏହି କଳା ୟୁପିର ବୁଲନ୍ଦଶାହର ଜିଲ୍ଲାରେ ପ୍ରସିଦ୍ଧ ।
ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କୁ ସ୍ୱତନ୍ତ୍ର ମାର୍ବଲ ଇନଲେରେ ନିର୍ମିତ ଟେବୁଲ୍ ଟପ୍ ଦେଇଛନ୍ତି । ଆଗ୍ରା ରେ ଏହି କଳା ବହୁତ ପ୍ରସିଦ୍ଧ ।
ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କୁ ପିଏମ ମୋଦୀ ଖୋଦିତ ହୋଇଥିବା ସ୍ୱତନ୍ତ୍ର ହାଣ୍ଡି ଉପହାର ଦେଇଛନ୍ତି । ନିକେଲରେ ପଲିସ୍ ହୋଇଥିବା ଏହି ହାତ ତିଆରି ପିତ୍ତଳ ବାସନ ୟୁପିର ମୁରାଦାବାଦରେ ପ୍ରସିଦ୍ଧ କଳା ।
ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ବାନାରସର ଜି-ଆଇ ଟ୍ୟାଗ୍ ମାନ୍ୟତା ପ୍ରାପ୍ତ କଳା ଲାକରୱେୟାରରେ ନିର୍ମିତ ରାମଙ୍କ ଦରବାରର ଏକ ଉପହାର ଦେଇଛନ୍ତି। ଏହା ଏକ ସ୍ୱତନ୍ତ୍ର କାଠରେ ନିର୍ମିତ ହୋଇଛି । ଚିତ୍ରକଳାର ମୁଖ୍ୟ ଚରିତ୍ର ହେଉଛନ୍ତି ଭଗବାନ ଶ୍ରୀ ରାମ, ଦେବୀ ସୀତା, ପ୍ରଭୁ ହନୁମାନ ଏବଂ ଜାଟାୟୁ ।
ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ କାଶ୍ମୀରର ରେଶମ କାର୍ପେଟ ଉପହାର ଦେଇଛନ୍ତି। କାଶ୍ମୀରୀ ରେଶମ କାର୍ପେଟ ମୁଖ୍ୟତଃ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରର ଶ୍ରୀନଗରରେ ତିଆରି ହୋଇଥାଏ ।