ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜୁଲାଇ ୨୯) ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଅଖିଳ ଭାରତୀୟ ଶିକ୍ଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।
ଏହି ସମୟରେ ପିଏମ ମୋଦୀ କହିଛନ୍ତି ଯେ, ଆଗାମୀ ଦିନରେ ଦେଶର ସମସ୍ତ ସିବିଏସଇ ବିଦ୍ୟାଳୟରେ ଏକ ପାଠ୍ୟକ୍ରମ ଲାଗୁ ହେବ, ଯେଉଁଥି ପାଇଁ ୨୨ ଟି ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯାଉଛି । ଏହି ସମୟରେ ପିଏମଶ୍ରୀ ଯୋଜନାର ପ୍ରଥମ କିସ୍ତି ମଧ୍ୟ ଜାରି କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଗତ ୬ ହଜାର ୭୦୭ଟି ବିଦ୍ୟାଳୟ ପାଇଁ ୬୩୦ କୋଟି ଟଙ୍କା ସମ୍ବଳିତ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶର ଭାଗ୍ୟ ବଦଳାଇବାର ଶକ୍ତି ଶିକ୍ଷାରେ ରହିଛି । ଯେଉଁ ଲକ୍ଷ୍ୟ ସହିତ ଦେଶ ଆଗକୁ ବଢ଼ୁଛି, ସେଥିରେ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣ ଏହାର ପ୍ରତିନିଧୀ । ଅଖିଲ ଭାରତୀୟ ଶିକ୍ଷା ସମାଗମର ଏକ ଅଂଶ ହେବା ମୋ ପାଇଁ ଏକ ମହତ୍ୱପୂର୍ଣ୍ଣ ଅବସର ।
୧୦ + ୨ ପରିବର୍ତ୍ତେ ନୂତନ ସିଷ୍ଟମ୍ :-
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି ପାରମ୍ପରିକ ଜ୍ଞାନ ପ୍ରଣାଳୀଠାରୁ ନେଇ ଭବିଷ୍ୟତ ଟେକ୍ନୋଲୋଜି ପର୍ଯ୍ୟନ୍ତ ସନ୍ତୁଳିତ ଢ଼ଙ୍ଗରେ ଗୁରୁତ୍ୱ ଦେଇଛି । ରିସର୍ଚ୍ଚ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ଦେଶର ଶିକ୍ଷାବିତ୍ କଠିନ ପରିଶ୍ରମ କରିଛନ୍ତି । ଆମର ଛାତ୍ରଛାତ୍ରୀମାନେ ନୂତନ ବ୍ୟବସ୍ଥା ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ, ୧୦ + ୨ ଶିକ୍ଷା ବ୍ୟବସ୍ଥା ବଦଳରେ ୫ + ୩ + ୩ + ୪ ଶିକ୍ଷା ବ୍ୟବସ୍ଥା ଅଣାଯାଉଛି । ପାଠପଢ଼ାର ଆରମ୍ଭ ୩ ବର୍ଷ ବୟସରୁ ଆରମ୍ଭ ହେବ । ଏହା ଦେଶରେ ଏକତା ଆଣିବ ।
ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଭବିଷ୍ୟତର ଅମୃତ ପିଢ଼ିଙ୍କୁ ଅଧିକ ଦକ୍ଷ ଓ ପ୍ରଶିକ୍ଷିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶିକ୍ଷାନୀତି ପ୍ରଣୟନ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ହେବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟଗୁଡ଼ିକରେ ଦକ୍ଷତା, ତାଲିମ, ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିଛି । ଦୁଇଦିନବ୍ୟାପୀ ହେବାକୁ ଥିବା ଏହି ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଶୈକ୍ଷଣିକ, ନୀତି ନିର୍ଦ୍ଧାରକ, ଉଦ୍ୟୋଗ ପ୍ରତିନିଧି, ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅର୍ନ୍ତଦୃଷ୍ଟିର ସଫଳ ରୂପାୟନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ଯୋଗାଇବ ।