CHARIDHAM

ଆମର ଅନେକ ନିଜଲୋକଙ୍କୁ ଛଡ଼ାଇ ନେଇଛି ଭୂତାଣୁ

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସହ କଥାହେବା ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ ଛଡ଼ାଇ ନେଇଛି ଆମ ନିଜଲୋକଙ୍କୁ । ସେ ସମସ୍ତଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି । ଏଭଳି ଭାବପୂର୍ଣ୍ଣ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣସୀର ଡାକ୍ତର ଓ ଆଗଧାଡ଼ିର ଅନ୍ୟ କରୋନା ଯୋଦ୍ଧାଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବାବେଳେ ମୋଦୀ କହିଛନ୍ତି ଯେ କାଶୀର ଜଣେ ସେବକ ହିସାବରେ ସମସ୍ତ କାଶୀବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ବିଶେଷକରି ଡାକ୍ତର, ନର୍ସ, ୱାର୍ଡ କେୟାର୍ ଟେକର୍, ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ସେବାକାର୍ଯ୍ୟକୁ ଖୁବ୍ ମହାନ ବୋଲି କହିବା ସହ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

କଥାବାର୍ତ୍ତା କରିବା ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଭାବବିହ୍ୱଳ ହୋଇପଡ଼ିଥିଲେ । ମହାମାରୀ କରୋନା ଭୂତାଣୁ ଆମର ଅନେକ ଆପଣାର ଲୋକଙ୍କୁ ଛଡ଼ାଇ ନେଇଛି ବୋଲି କହିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ସମ୍ପୃକ୍ତ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସେ ଆହୁରି କହିଥିଲେ ଯେ, ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ ହୋଇଛି। ସଂକ୍ରମିତଙ୍କୁ ଅଧିକ ଦିନ ଧରି ମେଡିକାଲ୍ରେ ରହିବାକୁ ପଡୁଛି ଏବଂ ଏହା ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରଭାବିତ କରୁଛଇ ବୋଲି ସେ କହିଥିଲେ ।

ତେବେ ଏଭଳି ସଙ୍କଟ ପରିସ୍ଥିତିରେ ଆମର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା କାର୍ଯ୍ୟ ଖୁବ୍ ପ୍ରଶଂସନୀୟ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳ ପାଇଁ ଆମେ ସ୍ୱାସ୍ଥ୍ୟସେବା ପାଇପାରୁଛୁ । ଖାଲି ସେତିକି ନୁହେଁ ବନାରସରେ ଅତି କମ୍ ସମୟ ମଧ୍ୟରେ ଅକ୍ସିଜେନ୍ ଓ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି ହୋଇପାରିଛି । ସେହିପରି ପଣ୍ଡିତ ରାଜନ ମିଶ୍ର କୋଭିଡ୍ ମେଡିକାଲକୁ ତ୍ୱରିତ୍ ସକ୍ରିୟ କରାଯିବା ମଧ୍ୟ ଏକ ଦୃଷ୍ଟାନ୍ତ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି । ଏଥିସହ ଯେଉଁଠି ବିମାର, ସେଇଠି ଉପଚାରର ଆହ୍ୱାନ ରୂପକ ଉଦବୋଧନ ଦେଇଛନ୍ତି ମୋଦୀ । ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାକୁ ହେବ ବୋଲି ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ମୋଦୀ ଆହ୍ୱାନ ଦେଇଛନ୍ତି ।