fbpx

ଓଡ଼ିଶା ଗସ୍ତରେ ଆସିବେ ମୋଦୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏଥିସହିତ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ କ୍ଷମତା ହାତେଇବା ପାଇଁ ଏବେଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ କିଛିଟା ଆଭାସ ମିଳିଛି । ଏହାକୁ ନେଇ ପୁଣି ଥରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ଆସନ୍ତା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । କଟକ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ମୋଦୀ ଆସିପାରନ୍ତି । ଏନେଇ ସରକାରୀ ଭାବେ କିମ୍ବା ଦଳୀୟ ସୂତ୍ରରୁ କିଛି ସୂଚନା ଦିଆଯାଇନାହିଁ । ଏକ ବିଶ୍ୱସ୍ତ୍ର ସୂତ୍ରରୁ ଏ ବାବଦରେ ଖବର ମିଳିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହେବ । ତେବେ ପ୍ରଧାନମନ୍ତ୍ରୀ ଯଦି ଓଡ଼ିଶା ଗସ୍ତରେ ଆସନ୍ତି, ତେବେ ଏହି ଅବସରରେ ସେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇପାରନ୍ତି ।

ଗତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ଆସନ୍ତା ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ସେ ସମୟରେ ଶାହ କହିଥିଲେ । ଏଥିସହିତ ଆସନ୍ତା ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ୱରେ ବିଜେପି ହ୍ୟାଟ୍ରିକ ଅର୍ଜନ କରିବ ବୋଲି ମଧ୍ୟ ସେ କହିଥିଲେ । ସେହିପରି ଗତବର୍ଷ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ । ପୂର୍ବରୁ ଏକାଧିକ ରାଷ୍ଟ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏଥର ମୋଦୀଙ୍କ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.