(video)ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତରେ ଶତମୁଖ ପ୍ରବାସୀ ଭାରତୀୟ, ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ ଦିବସୀୟ ଯାତ୍ରାରେ ଗ୍ରୀସ୍ ପହଞ୍ଚି ଯାଇଛନ୍ତି । ଗ୍ରୀସର ରାଜଧାନୀ ଏଥେନସ୍ ରେ ଆଜି ପ୍ରଧାନମନ୍ତ୍ରୀ ପହଞ୍ଚିଛନ୍ତି । ଏହି ଅବସରରେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ୪୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତ କରିଛନ୍ତି । ଗ୍ରୀସର ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋଟାକିସଙ୍କ ବିଶେଷ ଆମନ୍ତ୍ରଣ ପାଇ ମୋଦୀ ଗ୍ରୀସ ଗସ୍ତ କରିଛନ୍ତି । ଗ୍ରୀସର ବିଦେଶ ମନ୍ତ୍ରୀ ଜର୍ଜ ଗେରାପେତ୍ରିଟିସ୍ ଏଥେନ୍ସ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ କରିଛନ୍ତି ।

ହଜାର ହଜାର ସଂଖ୍ୟାରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ କରିବା ଲାଗି ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ସମୟରେ ଢୋଲ ଓ ଡ୍ରମ ବି ବଜାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସମସ୍ତଙ୍କ ସହ ବେଶ୍ ଉତ୍ସାହର ସହ ମିଶିଥିଲେ । ମୋଦୀ ସେଠାରେ ଏଥେନ୍ସରେ ଥିବା ହୋଟେଲ ଗ୍ରାଣ୍ଡ ବ୍ରେଟେନରେ ଅବସ୍ଥାନ କରିବେ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ହୋଟେଲରେ ପହଞ୍ଚିଥିଲେ ସେତେବେଳେ ସେଠାରେ ପ୍ରବାସୀ ଭାରତୀୟଙ୍କ ଭିଡ ଜମି ଯାଇଥିଲା । ହୋଟେଲ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନକୁ ଅପେକ୍ଷା କରି ରହିଥିବା ଭାରତୀୟ ପ୍ରବାସୀଙ୍କ ଜଣେ ସଦସ୍ୟ କହିଥିଲେ ଆମେ ଭାରତୀୟ ହୋଇଥଇବାରୁ ଗର୍ବ ଅନୁଭବ କରୁଛୁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ୟୁରୋପୀୟ ଦେଶ ଗ୍ରୀସକୁ ୧୯୮୩ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗସ୍ତ କରିଥିଲେ । ଏହାପରେ ଦେଶର ଆଉ କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ୍ ଗସ୍ତ କରିନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ କରିବା ଲାଗି ଗ୍ରୀସର ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋଟାକିସଙ୍କ ସହ ଆଲୋଚନା କରିବେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଭିତ୍ତିଭୂମି ବିକାଶ, ନିବେଶ କ୍ଷେତ୍ରରେ ବିସ୍ତାର , ପ୍ରତିରକ୍ଷା ବୁଝାମଣା ଓ ଜାହାଜ ନିର୍ମାଣ ଉଦ୍ୟୋଗ ଉପରେ ବିଚାର ଆଲୋଚନା ହେବ । ପ୍ରସ୍ଥାନ ପୂର୍ବରୁ ମୋଦୀ ଭାରତୀୟ ସମୁଦାୟ ସହିତ ଆଲୋଚନା କରିବେ ଯେଉଁମାନେ ଚନ୍ଦ୍ରଯାନ ୩ ମିଶନର ସଫଳତା ପରେ ମୋଦୀଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ ଅଛନ୍ତି ।