fbpx

ଲାଦାଖରେ କାର୍ଗିଲ ବିଜୟ ଦିବସ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ସହିଦଙ୍କ ପତ୍ନୀଙ୍କ ସହ କରିବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୬ରେ ଦେଶରେ କାର୍ଗିଲ ବିଜୟ ଦିବସ ପାଳନ ହେବ । ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ଲାଦାଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଲାଦାଖର ଲେଫ୍ଟନାଣ୍ଟ ଗଭର୍ନର ତଥା ଅବସରପ୍ରାପ୍ତ ବ୍ରିଗେଡିୟର ବି.ଡି ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରବିବାର ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଭାରତ ୧୯୯୯ ମସିହାରେ ପାକିସ୍ତାନ ସହ ଯୁଦ୍ଧରେ ବିଜୟୀ ହୋଇଥିଲା । କାର୍ଗିଲ ଜିଲ୍ଲାର ଦ୍ରାସରେ ୨୪ରୁ ୨୬ ଜୁଲାଇ ପର୍ଯ୍ୟନ୍ତ କାର୍ଗିଲ ବିଜୟ ଦିବସର ରଜତ ଜୟନ୍ତୀ ପାଇଁ ଭବ୍ୟ ସମାରୋହ ପାଳନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୬ରେ ଲାଦାଖର ଦ୍ରାସ୍ ବ୍ରିଗେଡ୍ ହେଲିପ୍ୟାଡରେ ଅବତରଣ କରିବେ । ସେଠାରେ ସେନା ଅଧିକାରୀ ମୋଦୀଙ୍କୁ ସ୍ୱାଗତ ଜଣାଇବେ । ଏହା ପରେ ମୋଦୀ କାର୍ଗିଲ ଯୁଦ୍ଧ ସ୍ମାରକ ଯାଇ ସହିଦଙ୍କୁ ପୁଷ୍ପାଞ୍ଜଳି ସମାରୋହରେ ସାମିଲ ହେବେ । ଏହା ପରେ ସହିଦ ମାର୍ଗରେ ଥିବା ୱାଲ୍ ଅଫ୍ ଫେମ୍ ଗସ୍ତ କରିବେ । ସେଠାରେ ‘ଭିସିଟର୍ସ ବୁକ୍‌’ରେ ଦସ୍ତଖତ କରିବେ ଏବଂ କାର୍ଗିଲ ଯୁଦ୍ଧ କଳାକୃତି ସଂଗ୍ରହାଳୟ ନିରୀକ୍ଷଣ କରିବେ । ଏହା ପରେ ସେ ବୀର ନାରୀ(କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଜବାନଙ୍କ ପତ୍ନୀ)ଙ୍କ ସହ ବାର୍ତ୍ତାଳାପ କରିବେ । ଏହା ପରେ ମୋଦୀ ବୀର ଭୂମି ଗସ୍ତ କରିବେ । ଆଭାସୀ ମାଧ୍ୟମରେ ମୋଦୀ ‘ଶିଙ୍କୁ ଲା ସୁଡ଼ଙ୍ଗ’ର ଉଦ୍‌ଘାଟନ କରିବେ ।

Get real time updates directly on you device, subscribe now.